ପ୍ରମାଣ ପତ୍ର ବି ମିଳିପାରୁନି ଦିବ୍ୟାଙ୍ଗ ଶିଶୁଙ୍କୁ
ଚିକିତ୍ସା ସହାୟତା ମିଳୁନି, ଭତ୍ତା ପାଇଁ ସାଜିଛି ବାଧକ ସାଜିଛି ପ୍ରମାଣପତ୍ର
ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କରଞ୍ଜକଟା ଗ୍ରାମରେ ବାସ କରୁଛନ୍ତି ଜୀବରର୍ଦ୍ଧନ କହଁର ଓ ତାଙ୍କ ପରିବାର । ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଏହି ଅଭାବୀ ପରିବାରର ସମ୍ପତ୍ତି କହିଲେ ୨ ଡେସିମିଲ ଘରଡିହ । ୟା ବ୍ୟତିତ ଜମିବାଡି ବୋଲି କିଛି ନାହିଁ । ପେସାରେ ସେ ଜଣେ ଦିନ ମଜୁରିଆ । ଦିନତକ ପରଠି ମୁଲ ଖଟି ଯାହା ଦି ପଇସା ମିଳେ ଘରେ ଥିବା ୩ ପ୍ରାଣୀ କୁଟୁମ୍ବ ଯଥାକଥାରେ ଚଳିଆସୁଥିଲେ । ହେଲେ ଗତ ୪ ବର୍ଷ ତଳେ ତାଙ୍କର ଏକମାତ୍ର ପୁଅ ଅଭିଜିତ (୫)ର ହାତଗୋଡ ଧିରେ ଧିରେ ଅକର୍ମଣ୍ୟ ହେବା ସହିତ ଚକ୍ଷୁ ଦୋଷ ଦେଖାଦେଇ ଥିଲା । ପିଲାଟିକୁ ଚିକିତ୍ସା କରିବା ପାଇଁ ଉଭୟ ବାପା ମା ଏଠୁ ସେଠୁ ପଇସା ଯୋଗାଡ କରି ପ୍ରଥମେ ବୌଦ୍ଧ ଓ ଫୁଲବାଣୀ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କଟକ ବଡ ମେଡିକାଲ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେବାରୁ ଏହି ପରିବାରର ଅଭାବି ପିତା ମାତା ପୁଅକୁ ଭଲ କରିବା ସକାଶେ ଘରେ ଯାହାକିଛି ସୁନା ଗହଣା ଓ କଂସା ବାସନ ଥିଲା ତାକୁ ବନ୍ଧା ପକାଇ କଟକ ନେଇଥିଲେ । ସେଠାରେ ତାକୁ କିଛିଦିନ ଚିକିତ୍ସା କରିବା ପରେ ଅର୍ଥ ଶେଷ ହୋଇଯିବାରୁ ଭାଗ୍ୟକୁ ଆଦରି ପୁଅକୁ ଧରି ଘରକୁ ଫେରି ଅସିଥିଲେ । ପରେ ପୁଅ ଅଭିଜିତ ର ଚିକିତ୍ସା ସହାୟତା ଓ ଭତ୍ତା ପାଇଁ ବ୍ଲକରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅସହାୟ ପରିବାରର ବାପା ମା କହିବା ସହିତ ଦିନକୁ ଦିନ ପିଲାଟିର ଅବସ୍ଥା ଅଧିକ ଖରାପ ହେବାକୁ ବସିଥିବା ଦେଖି ସେମାନେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଗତ କିଛି ମାସ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ଦିବ୍ୟାଙ୍ଗ ଚିହ୍ନଟ ଶିବିରରେ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ପାଇଁ ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ଦେଖାଇବାର ଦୀର୍ଘ ୮ ମାସରୁ ଉର୍ଧ୍ଵ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଆଜିଯାଏଁ ପ୍ରମାଣ ପତ୍ର ମିଳିନଥିବାରୁ ଭତ୍ତା ପାଇବାରୁ ବଂଚିତ ହୋଇଥିବା ଜଣାପଡିଛି । ଏନେଇ ହରଭଙ୍ଗା ବିଡିଓ ରବିନ୍ଦ୍ର କୁମାର ଶତପଥିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ପ୍ରଥମେ ଭିନ୍ନକ୍ଷମ ପ୍ରମାଣ ପତ୍ର ଆଣନ୍ତୁ ତାପରେ ଭତ୍ତା ଦିଆଯିବ । ସେହିପରି ତାଙ୍କ ପରିବାର ଲୋକେ ଯଦି ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବେ ତେବେ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାରର ପିତାଟିକୁ ଆବଶ୍ୟକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ ଜିବର୍ଦ୍ଧନ କହଁର ଓ ପ୍ରଭାସିନୀ କହଁରଙ୍କ ନିଷ୍ପାପ ପୁଅ ଅଭିଜିତ ମୁହଁରେ ହସ ଫରି ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।