ଏକ ସ୍ପଷ୍ଟ ଓ ପ୍ରଗତିଶୀଳ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରାଯିବ : ମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟୀତ୍ୱ ଗହ୍ର ଣ କରିବା ପରେ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ବିଭାଗ ପରିଦର୍ଶନ କରି ବିଭାଗୀୟ ପଦାଧିକାରୀମାନଙ୍କ ସହିତ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଏବଂ ଭିତିଭୂମି ଠାରୁ ଆରମ୍ଭକରି ମାନବ ସମ୍ବଳ ବିକାଶ ଆଦି ନିମନ୍ତେ ଏକ ସ୍ଫଷ୍ଟ ଓ ପ୍ରଗତିଶୀଳ ସ୍ୱାସ୍ଥ୍ୟନୀତି ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ତେବେ ବିଭାଗକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ୧୦୦ ଦିନିଆ ଲକ୍ଷ୍ୟଧାର୍ଯ୍ୟ କରି କାମ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଲୋକଙ୍କୁ ମେଡିକାଲ କଲେଜ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠାରେ ସୁବିଧାରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା , ଖାଲି ଥିବା ପଦବୀଗୁଡିକୁ ପୂରଣ କରିବା , ଅଧିକ ସଂଖ୍ୟକ ଡାକ୍ତର ସୃଷ୍ଟି କରିବା ଆଦି ଦିଗରେ ଦୃଷ୍ଟି ଦେବା ଇତ୍ୟାଦି ପ୍ରସଙ୍ଗରେ ମନ୍ତ୍ରୀ ଆଲୋଚନା କରିଛନ୍ତି । ବିଭାଗର ରହିଥିବା ବିଭିନ୍ନ ସମସ୍ୟାଗୁଡିକର ସମାଧାନ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯିବ । ତେବେ ବିଭାଗ ଉପରେ ସାଧାରଣ ଲୋକଙ୍କର ଆସ୍ଥା ଯେପରି ବଜାୟ ରହିବ ସେ ନେଇ ସମସ୍ତେ ମିଳିମିଶି ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ବିଭାଗର ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶରତ ମିଶ୍ର ଓ ଡାଃ ବି.କେ.ବ୍ରହ୍ମା ,ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀଙ୍କ ସମେତ ବିଭାଗର ସମସ୍ତ ନିଦେ୍ର୍ଧଶକ ଏବଂ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।