ଗୁଣ୍ଡିଚା ମନ୍ଦିର ବଦଳରେ ରଥରେ ବସି ରହିଛନ୍ତି ତିନି ଠାକୁର
ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋରପିଠା ଗ୍ରାମରେ ରାଜାରାଜୁଡ଼ା ଅମଳରୁ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଗ୍ରାମ ବିବାଦ କାରଣରୁ ଗୁଣ୍ଡିଚା ମନ୍ଦିର ବଦଳରେ ରଥରେ ବସି ରହିଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା । ସୂଚନା ଅନୁସାରେ ଜଗନ୍ନାଥ ମନ୍ଦିର କୋରପିଠା ସାମନ୍ତ ରାଜପରିବାର ତତ୍ବାବଧାନରେ ସମସ୍ତ ନୀତି କାନ୍ତି ଓ ଯାନିଯାତ୍ରା ଉତ୍ସବ ଆଦି ପରିଚାଳିତ ହେଉଥିଲା । ତେବେ କାଳକ୍ରମେ ରାଜପରିବାରର ପ୍ରାଧାନ୍ୟତା ହ୍ରାସ ପାଇବା ପରେ ରାଜପରିବାର ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇଆସୁଥିଲା । ତେବେ ଧିରେଧିରେ ଗ୍ରାମବାସୀମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନିଜ ପ୍ରାଧାନ୍ୟତା ବୃଦ୍ଧିରେ ଲାଗି ପଡ଼ିଥିବା ବେଳେ ଠାକୁରଙ୍କ ନୀତି କାନ୍ତିରେ ଘୋର ବିଭ୍ରାଟ ଦେଖାଦେବା ସହିତ ୨୦୨୪ ମସିହାରେ ରଥଯାତ୍ରା ବନ୍ଦ ରହିଥିଲା । ହେଲେ ଚଳିତବର୍ଷ ଗୋଟିଏ ଗୋଷ୍ଠୀ ସମସ୍ତ ଗ୍ରାମବାସୀଙ୍କୁ ସାଥିରେ ନନେଇ ରଥଯାତ୍ରା କରିଥିଲେ । ଏପରିକି ସାମନ୍ତ ରାଜପରିବାର ରଥରେ ଛେରାପହଁରା କରିଆସୁଥିବା ବେଳେ ତାଙ୍କର ପ୍ରତିନିଧିଙ୍କୁ ନନେଇ ଗ୍ରାମର ଲୋକନାଥ ମିଶ୍ରଙ୍କୁ ନେଇ ଛେରାପହଁରା କରିଥିଲେ । ପରମ୍ପରା ଭାଙ୍ଗିବା ସହିତ ରାଜପରିବାରକୁ ଅସମ୍ମାନ କରିବା ପ୍ରତିବାଦରେ ଗୁଣ୍ଡିଚା ମନ୍ଦିରକୁ ବନ୍ଦ ରଖିବା ସହିତ ଯେଉଁମାନେ ଏପରି ବିଭ୍ରାଟ ସୃଷ୍ଟି କରିଛନ୍ତି, ସେମାନେ ଗୁଣ୍ଡିଚା ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ରଖନ୍ତୁ ବୋଲି ମତ ରଖିଥିଲେ । ଫଳରେ ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ବିଜେ ନକରି ଖରାବର୍ଷାରେ ରଥ ଉପରେ ବସି ରହିଛନ୍ତି । ସମସ୍ତଙ୍କ ବଦଳରେ କିଛି ବ୍ୟକ୍ତିଙ୍କ ଇଚ୍ଛାରେ ପରମ୍ପରା ଭାଙ୍ଗି ରଥଯାତ୍ରା ଅନୁଷ୍ଠିତ କରିଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରଭୁଙ୍କ ଅସମ୍ମାନ ନେଇ ଦୁଃଖ ପ୍ରକାଶ କରିଛନ୍ତି