ଚମ୍ପୁଆ, (ଚିତ୍ତରଞ୍ଜନ କର) : ଚମ୍ପୁଆ ବିଧାନସଭା(୨୫) ଆସନ ପାଇଁ ଆଜି ନାମାଙ୍କନ ଯାଂଚ ପ୍ରକ୍ରିୟା ସମାପ୍ତ ହୋଇଛି । ଉକ୍ତ ଆସନ ପାଇଁ ମୋଟ ୧୭ଜଣ ବ୍ୟକ୍ତିବିଶେଷ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେଥିମଧ୍ୟରୁ ୧୬ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ନିର୍ଦ୍ଧାରିତ ସମୟରେ ଆବଶ୍ୟକୀୟ ସତ୍ୟପାଠ (ଆଫିଡେଭିଟ୍) ଦାଖଲ କରି ପାରିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ବସନ୍ତ କୁମାର ମହାନ୍ତଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଥିବା ଜଣାପଡ଼ିଛି ।
ନିର୍ବାଚନ କମିସନଙ୍କ ନିୟମାନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଯାଂଚ କରାଯାଇଥିଲା । ଉପଜିଲ୍ଲାପାଳ ପାରୁଲ ପଟାୱରୀ ସମସ୍ତ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଯାଂଚ କରିଥିଲେ । ବିଭିନ୍ନ ଦଳୀୟ ଓ ନିର୍ଦଳୀୟ ୧୬ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଥିବା ଉପଜିଲ୍ଲାପାଳ ସୁଶ୍ରୀ ପଟାୱରୀ ସୂଚନା ଦେଇଥିଲେ । କେବଳ ବସନ୍ତ କୁମାର ମହାନ୍ତ(ସ୍ୱାଧୀନ) ନିର୍ଦ୍ଧାରିତ ସମୟରେ ଆବଶ୍ୟକୀୟ ସତ୍ୟପାଠ (ଆଫିଡେଭିଟ୍) ଦାଖଲ କରି ପାରିନଥିଲେ । ଫଳରେ ନିର୍ବାଚନ କମିସନଙ୍କ ନିୟମାବଳୀକୁ ଆଧାରରେ ଉପଜିଲ୍ଲାପାଳ ତାଙ୍କର ନାମାଙ୍କନ ପତ୍ରକୁ ନାକଚ୍ କରିଥିଲେ । ସିପିଆଇ-ଏମ୍ଏଲ୍ ପ୍ରାର୍ଥୀ ପଂଚରତ୍ନ ମହାକୁଡ଼, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର କୁମାର ଗିରି, କଳିଙ୍ଗ ସେନାର ଗଙ୍ଗା ମହାକୁଡ଼, ଭାରତୀୟ ମିତ୍ର ପାର୍ଟିର ରାଜେନ ମୁଣ୍ଡା, ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ, ଅଲ୍ ଇଣ୍ଡିଆ ଫରର୍ୱାର୍ଡ ବ୍ଲକର ରତିକାନ୍ତ ପରିଡ଼ା, ହିନ୍ଦୁସ୍ଥାନ ନିର୍ମାଣ ଦଳର ସୁଶୀଲ କୁମାର ମହାନ୍ତ, ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଂଟ ମୋର୍ଚ୍ଚାର ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଭାରତୀୟ ଜାତୀୟ କଂଗ୍ରେସର ଯଦୁମଣି ବାରିକ, ଭାରତୀୟ ସମାଜବାଦି ପାର୍ଟି (ବିଏସ୍ପି)ର ଳୈଳାସ ଚନ୍ଦ୍ର ତନ୍ତୀ, ଅଖିଳ ଭାରତ ହିନ୍ଦୁ ମହାସଭାର ଦୀନବନ୍ଧୁ କର, ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ପଲେଇ, ବିଜୁ ଜନତା ଦଳ(ବିଜେଡି)ର ମୀନାକ୍ଷୀ ମହାନ୍ତ, ସ୍ୱାଧୀନ ପ୍ରାର୍ଥୀ ସହଦେବ ବେହେରା, ଭାରତୀୟ ଜନତା ପାର୍ଟି(ବିଜେପି)ର ମୁରଲୀ ମନୋହର ଶର୍ମା ଏବଂ ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଥିବା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟଯେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ପ୍ରାର୍ଥୀ ଅଥବା ତାଙ୍କ ଦ୍ୱାରା ପ୍ରାଧିକୃତ ହୋଇଥିବା ପ୍ରସ୍ତାବକ ଅପ୍ରେଲ ୮ ତାରିଖ ଅପରାହ୍ନ୩ଟା ପୂର୍ବରୁ ଦରଖାସ୍ତ କରିପାରିବେ । ଏହି ଅବସରରେ ଉପଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ନିବେଦନ କରିଥିଲେ । ଏହାସହ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ସମୟରେ ଦଳର ପ୍ରାର୍ଥୀମାନଙ୍କୁ ସାଙ୍କେତିକ ଚିହ୍ନ ପ୍ରଦାନ କରାଯିବ । ସେହି ସମୟରେ ପ୍ରାର୍ଥୀମାନେ ଉପସ୍ଥିତ ରହିବାକୁ ଉପଜିଲ୍ଲାପାଳ ନିବେଦନ କରିଥିଲେ । ଏହାବାଦ୍ ଚଳିତମାସ ୧୨,୧୭ ଓ ୨୨ ତାରିଖରେ ନିର୍ବାଚନ ହିସାବ ପର୍ଯ୍ୟବେକ୍ଷକ ଚମ୍ପୁଆକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସେହି ସମୟରେ ସମସ୍ତ ଦଳର ପ୍ରାର୍ଥୀମାନେ ଉପସ୍ଥିତ ରହି ନିଜର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ସୁଶ୍ରୀ ପଟାୱରୀ ସୂଚନା ଦେଇଥିଲେ । ଆଜିର ଏହି ଯାଂଚ ପ୍ରକ୍ରିୟା ସମୟରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ, ସହକାରୀ ଜିଲ୍ଲାପାଳ ସପନ କୁମାର ସାହୁଙ୍କ ସମେତ ବିଭିନ୍ନ ଦଳର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।