ଓଡ଼ଗାଁ,୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ +୩ କଳା ଦ୍ବିତୀୟ ବର୍ଷ ମନୋବିଜ୍ଞାନ ସମ୍ମାନ ବିଭାଗ ଛାତ୍ର ଦିପୁନା ଦାସ(୧୯) ବୁଧବାର ଅପରାହ୍ନ ୨ ସମୟରେ କଲେଜ ମଧ୍ୟରେ ଗୁରୁତର ହୋଇପଡ଼ିଥିଲେ । ତେବେ ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଦିପୁନାକୁ ସେଠାରେ ମୃତ ଘୋଷଣା କରିଥିଲେ । ଓଡ଼ଗାଁ ଥାନା ରବି ଗାଡିଆ ପଞ୍ଚାୟତ କୁରୁମ ବାଙ୍କତରା ଗ୍ରାମ ଗୋବିନ୍ଦ ଦାସଙ୍କ ପୁଅ ଦିପୁନା ଦାସ । ଛାତ୍ର ଜଣଙ୍କ ମୃତ୍ୟୁର କାରଣ ବିଷପାନ ବୋଲି ଆଲୋଚିତ ହେଉଥିବା ବେଳେ ବ୍ୟବଛେଦ ରିପୋର୍ଟରୁ ଏହାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । କଲେଜ ପରିସରରେ ଏପରି ଘଟଣା ପୂର୍ବରୁ ଘଟିଥିଲେ ମଧ୍ୟ ସାଧାରଣ ସତର୍କତା ଅଭାବରୁ କଲେଜ ମଧ୍ୟରେ ଏପରି ଘଟଣା ଘଟିଚାଲିଛି । ବିଭାଗୀୟ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସଭା ପାଇଁ ଆଲୋଚନା ନିମନ୍ତେ ଗହଳିଚହଳି ଥିବା ବେଳେ ଜଣେ ଛାତ୍ର ବିଷପାନ କଲେ ତାହା କିପରି କାହାରିକୁ ଜଣାପଡିଲା ନାହିଁ ତାହା ଆଶ୍ଚର୍ଯ୍ୟ କରିଛି । ଘଟଣାଟି ପ୍ରଚାର ହେବା ପରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି । ତେବେ ଦିପୁନ ମୃତ୍ୟୁର ସଠିକ୍ କାରଣ ତଦନ୍ତ ପରେ ଜଣାପଡ଼ିବ । ତେବେ ଏଭଳି ମୃତ୍ୟୁର କାରଣ ପ୍ରେମ ଜନିତ ହୋଇପାରେ ବୋଲି ଆଲୋଚିତ ହେଉଛି । ବାପା ଗୋବିନ୍ଦ ଦାସ ପୁଅର ଏଭଳି କିଛି ଘଟଣା ସମ୍ପର୍କରେ କୌଣସି ପୂର୍ବ ସୂଚନା ପାଇନଥିଲେ । ହେଲେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଥରେ ବାପା ମା' ପରିବାର କଥା ଭାନାନ୍ତୁ ବୋଲି ବାପା ଗୋବିନ୍ଦ ଦାସ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତିରେ ଖଣ୍ଡପଡ଼ାର କାହ୍ନା ସେଠୀ(୨୨) କେତେଜଣକଙ୍କ ସହିତ ପଦ୍ମାବତୀର ବର୍ଷା ରାଣୀ ନାୟକ (୨୧)ଙ୍କୁ ନେଇ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚିଥିଲେ । ଯୁବତୀ ଜଣକ ଗୁରୁତର ହୋଇ ପଡିବାରୁ ତାକୁ ୧୦୮ ଯୋଗେ ନୟାଗଡ଼ ପଠାଇବା ସମୟରେ କାହ୍ନା ସେଠୀ ମଧ୍ୟ ବିଷପାନ କରିଥିବା ବେଳେ ବାନ୍ତି କରିଥିଲେ । ଫଳରେ ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ରାଜ୍ୟ
ଓଡ଼ଗାଁ କଲେଜ ଛାତ୍ରଙ୍କ ଅକାଳରେ ଜୀବନ ଗଲା
- Hits: 186