ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱର ପୌରପାଳିକା ପକ୍ଷରୁ ଓଡ଼ିଶା ସରକାରଙ୍କ ଜାଗା ମିଶନ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟରେ ବସ୍ତିବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଗାନ୍ଧୀସ୍ମତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିବା ସହିତ ଜାଗା ମିଶନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ବସ୍ତିବାସିନ୍ଦାଙ୍କୁ ନୂତନ ପରିଚୟ ଦେଇଛି ବୋଲି କହିଥିଲେ । ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଶୁଭାରମ୍ଭ କରିବା ସହିତ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବାଲେଶ୍ୱର ସହରର ସମସ୍ତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ମିଳିବ ବୋଲି ସାଂସଦ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, କଟକ ମହାନଗର ନିଗମର ଯୁଗ୍ମ ଆୟୁକ୍ତ ସୁବାସ ଚନ୍ଦ୍ର ନାଥଶର୍ମା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତି ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ନିଜର ଭୁମି ଅଧିକାର ସାବ୍ୟସ୍ତ ପାଇଁ ସୁଯୋଗ ଦେଇଛି ବୋଲି କହିଥିଲେ । ସରକାରଙ୍କର ଏହି ଯୋଜନା ଅନ୍ୟାନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ମଲ୍ଲିକ, ସଦର ତହସିଲଦାର ଶତ୍ରୁଘ୍ନ ସେଠୀ, ଜାଗା ମିଶନର ଜିଲ୍ଳା ସଂଯୋଜିକା ସଙ୍ଗୀତା ପାଣିଗ୍ରାହୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାରୀ ପ୍ରମାଣପତ୍ର ପ୍ରଦାନରେ ସକ୍ରିୟ ସହଯୋଗ କରିଥିଲେ । ଦ୍ୱୀତିୟ ପର୍ଯ୍ୟାୟରେ ସହରର ବିଭିନ୍ନ ବସ୍ତି ଅଞ୍ଚଳର ୪୩୦ ପରିବାରଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜାଗା ମିଶନ ଜରିଆରେ ବାଲେଶ୍ୱର ସହରରେ ଅଦ୍ୟାବଧି ମୋଟ ୮ଶହ ପରିବାର ପ୍ରମାଣପତ୍ର ପାଇଥିବା ବେଳେ ସର୍ଭେ ଅନୁସାରେ ଆଗାମୀ ଦିନରେ ସମସ୍ତ ଆବେଦନକାରୀ ଉପକୃତ ହେବେ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ
‘ଜାଗା ମିଶନ ବସ୍ତିବାସିନ୍ଦାଙ୍କୁ ନୂତନ ପରିଚୟ ଦେଇଛି’: ସାଂସଦ
- Hits: 512











