ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଚାଲିଥିବା ଏହି ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଉଠିବା ପରେ ବିଧାୟକଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କାଶୀନଗର ଏନଏସି ସମେତ କାଶୀନଗର ବ୍ଲକର ବହୁ ପଞ୍ଚାୟତର ଅନେକ ଗ୍ରାମ ବଂଶଧାରା ନଦୀ କୂଳରେ ଅବସ୍ଥିତ।
ବର୍ଷା ଋତୁରେ ନଦୀରେ ବନ୍ୟା ଆସିବା ଯୋଗୁଁ ଅନେକ ସମୟରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତି ପ୍ରଭାବିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ନଦୀ କୂଳର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ଓ ମାଟି ବ୍ୟବହାର କରି ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରାୟ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ସହ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଠିକାଦାର ପକ୍ଷରୁ ମନମୁଖୀ ଭାବେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ସେହିପରି ଭାନ୍ନା ଗ୍ରାମ ନିକଟସ୍ଥ ନଦୀ କୂଳରେ ଚାଲିଥିବା ହିଡ଼ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବୁଦୁରା ସମିତି ସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ବିଧାୟକ ରୂପେଶ ପାଣିଗ୍ରାହୀ ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ।
ବିଧାୟକଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମା , ବୁଦୁରା ସମିତି ସଭ୍ୟ ବି. ବାବୁରାଓ , କେ. ଆପାରାଓଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ବିଧାୟକଙ୍କ ନିକଟରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ନେଇ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିଥିଲେ। କେତେକ ଲୋକ ଅଭିଯୋଗ କରିଥିଲେ ଯେ, କାମର ଗୁଣବତ୍ତା ସମ୍ପର୍କରେ ପ୍ରଶ୍ନ କଲେ ଠିକାଦାର ପକ୍ଷର କିଛି ବ୍ୟକ୍ତି ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ମଧ୍ୟ ରହିଛି। କାଶୀନଗର ଠାରୁ ଭାନ୍ନା ଗ୍ରାମ ପର୍ଯ୍ୟନ୍ତ ଚାଲିଥିବା ପଥର ଜଡ଼ିତ ହିଡ଼ ନିର୍ମାଣ କାର୍ଯ୍ୟକୁ ବିଧାୟକ ନିଜେ ତଦାରଖ କରିଥିଲେ। ଏହା ପରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କ ଅଭିଯୋଗ ବିଷୟରେ ଅବଗତ କରାଇଥିଲେ।
ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ଏହି କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହେବା ଆବଶ୍ୟକ। କାମରେ କୌଣସି ପ୍ରକାର ଅନିୟମିତତା କିମ୍ବା ନିମ୍ନମାନର କାର୍ଯ୍ୟ ହୋଇଥିଲେ ତାହା ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ। ସେହିପରି ସରକାରଙ୍କ କାର୍ଯ୍ୟ ତଥା ବିକାଶମୂଳକ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଜନସାଧାରଣଙ୍କ ବି କର୍ତ୍ତବ୍ୟ, ଯଦି ଲୋକଙ୍କ ପ୍ରତି ଠିକାଦାର ଯଦି ବିରୋଧ କରେ କି ଦୃବ୍ୟବହାର୍ କରିଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ବିଧାୟକ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଏହି ହିଡ଼ବନ୍ଦ କାର୍ଯ୍ୟର ଗୁଣବତ୍ତା ଓ ସମୟସୀମା ନେଇ ବିଭାଗୀୟ ତଦାରଖ ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
ରାଜ୍ୟ
ବଂଶଧାରା ନଦୀ ହିଡ଼ବନ୍ଦ କାର୍ଯ୍ୟରେ ଅବହେଳା ଅଭିଯୋଗ : ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ
- Hits: 18







