ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ ସହିତ ମଂଚରେ ବସିଲେ ୧୪ ଏସଏସଜି ଗ୍ରୁପର ସଦସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଂଚପୀଢ଼, ବାମନଘାଟୀ ଉପଖଣ୍ଡରେ କ୍ରୀଡ଼ାର ବିକାଶ ନିମନ୍ତେ ନିର୍ମାଣ ହେବ ଷ୍ଟାଡ଼ିୟମ  

ପିପିପି ମୋଡ଼ରେ ରାଇରଙ୍ଗପୁର ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲରେ ପରିଣତ କରାଯିବ

ବାମନଘାଟୀ ଉପଖଣ୍ଡରେ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ନେଇ ଘୋଷଣା 

ସମାବେଶରେ ଯୋଗ ଦେଲେ ୫୦ ହଜାରରୁ ଅଧିକ ମହିଳା

ବାରିପଦା,(ଦିଲ୍ଲୀପ ମହାନ୍ତି) - ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଆସି ମହୁଲଡ଼ିହା ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୫୦ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚ ଉପରେ  କୌଣସି ମନ୍ତ୍ରୀ କି ବିଧାୟକ ନଥିବା ସମୟରେ ବସିଥିଲେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୧୪ ଜଣ ମହିଳାଙ୍କ ସହିତ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମିଶନ ଶକ୍ତିର ନିଦେ୍ର୍ଧଶିକା ସୁଜାତା କାର୍ତିକେୟନ । କାର୍ଯ୍ୟକ୍ରମରେ ମଂଚରେ ବସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ବଖାଣିଥିଲେ ସେମାନଙ୍କ ସଫଳତାର କାହାଣୀ  । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ମନଧ୍ୟାନ ଦେଇ ଏହା ଶୁଣିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ପାଂଚପୀଢ଼ ଓ ବାମନଘାଟୀର ଜନସାଧାରଣ ନିମନ୍ତେ ୯୬୦.୩୪ କୋଟି ଟଙ୍କା ମୂଲ୍ୟରେ ୧୫ଟି ଜନହିତକାରୀ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ୧୨ଟି ବ୍ଲକର ୭୪୫୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ଲକସ୍ତରୀୟ ମହାସଂଘ ଗୁଡ଼ିକୁ ୧୬ କୋଟି ଟଙ୍କାର ଆର୍ଥିକ ସହାୟତା ନୂଆ ବର୍ଷରେ ଭେଟି ଭାବେ ଦେଇଥିଲେ । ଏଥି ସହିତ ୪୫ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦରେ ନିର୍ମିତ ୨୧ଟି ଜନହିତକାରୀ ପ୍ରକଳ୍ପଗୁଡ଼ିକୁ ଜନସାଧାରଣଙ୍କ ନିମନ୍ତେ ଲୋକାର୍ପଣ କରିଥିଲେ । ଏହି ସମୟରେ ସମ୍ମୁଖରେ ଉପସ୍ଥିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଡ଼ିଜିଟାଲ ସଶକ୍ତିକରଣ, ସିଡ୍ ମନି ସହାୟତା ଆଦି ବିଭିନ୍ନ ପ୍ରକାରର ଆର୍ଥିକ ସହାୟତାର ଘୋଷଣା ମାଧ୍ୟମରେ ସେମାନଙ୍କ ହୃଦୟକୁ ଜିଣିବାରେ ସଫଳ ହୋଇଥିଲେ । ଏହି ସମୟରେ ଶଙ୍ଖ, ହୁଳହୁଳି ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସଭା ସ୍ଥଳ  । ବାମନଘାଟୀ ଉପଖଣ୍ଡରେ ଏହା ଥିଲା ଏକ ଐତିହାସିକ ମହିଳା ସମାବେଶ ଏବଂ ଏଥିରେ ୯୬୦.୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ବିଶୋଇ ବ୍ଲକର ରାଜ୍ୟରାଜପଥ-୫୦ ଅନ୍ତର୍ଗତ ବିଶୋଇ-ରାଇରଙ୍ଗପୁର ରାସ୍ତା, ବାଙ୍ଗିରିପୋଷି ବ୍ଲକର କଳାବାଡ଼ିଅଅ-ବାଙ୍ଗିରିପୋଷି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି କରଣ, ରାଇରଙ୍ଗପୁର ବ୍ଲକର ଶିମିଳିନାଳ ଉପରେ ହାଇଲେଭଲ ସେତୁ ନିର୍ମାଣ, ଠାକୁରମୁଣ୍ଡା ବ୍ଲକର ଠାକୁରମୁଣ୍ଡା-ଡ଼ଙ୍ଗାଡିହ-ଉଦଳା-ମାଣିତ୍ରି-ବୈଶିଙ୍ଗା-ରୁପସା ଉନ୍ନତିକରଣ, ଶୁକ୍ରୁଳି ବ୍ଲକର ମହାଦେବ ଦେଉଳି-ଖିଚିଂ ରାସ୍ତାରେ କଂଟାଖଇରୀ ନଦୀ ଉପରେ ହାଇଲେଭଲ ସେତୁର ନିର୍ମାଣ, ରାଇରଙ୍ଗପୁର ବ୍ଲକର ଆନନ୍ଦପୁର-ଗୁଣ୍ଡୁରିଆ ରାସ୍ତାରେ ଗୁରିଆ ନାଳ ଓ ଛତ୍ରମଣ୍ଡଳ-ଭୀମଖଣ୍ଡ ରାସ୍ତାରେ କାତରା ନଦୀ ଉପରେ ୨ଟି ହାଇଲେଭଲ ସେତୁ ନିର୍ମାଣ, ରାଇରଙ୍ଗପୁର, କୁସୁମୀ ଓ ଯଶିପୁର ବ୍ଲକରେ ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ,  ଯଶିପୁର ବ୍ଲକର ଭଣ୍ଡନ ନଦୀ ସହିତ ଠାକୁରମୁଣ୍ଡା ବ୍ଲକର ଗୋବରାଯୋଡ଼ ନାଳ ଓ ବାଙ୍ଗିରିପୋଷି ବ୍ଲକର ବୁଢ଼ାବଳଙ୍ଗ ନଦୀ ୩ଟି ହାଇଲେଭଲ ସେତୁ ନିର୍ମାଣ, ସାରସକଣା ବ୍ଲକର ଶଙ୍ଖାଭଙ୍ଗା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଶୁକ୍ରୁଳି ବ୍ଲକର ପାର୍ବତୀପୁର-କାଳନ୍ଦା ରାସ୍ତାର ଖଇରୀ ଭଣ୍ଡନ ନଦୀ ଉପରେ ହାଇଲେଭଲ ସେତୁ ନିର୍ମାଣ ଆଦି ପ୍ରକଳ୍ପ ଗୁଡ଼ିକର ଭିତିପ୍ରସ୍ତର ସ୍ଥାପନ ସହିତ ୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବାଙ୍ଗିରିପୋଷି ବ୍ଲକର ବାରିପଦା-ବାମନଘାଟୀ ରାସ୍ତାର ଜଉମରା ନାଳ ଉପରେ ଓ ସାରସକଣା ବ୍ଲକର ବାଲିଯୋଡ଼ ନାଳ ଉପରେ ୨ଟି ହାଇଲେଭଲ ସେତୁ, କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ୫୦ ଶଯ୍ୟା ଓ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ୨ଟି ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର, ରାଇରଙ୍ଗପୁର ବ୍ଲକର ପୁରୁଣାପାଣି, ଟୋଲକୋ, କୁଲେଇଶିଳା, କାଳିମାଟି, ତିଲେଇଝରି ଓ ବଡ଼ମଉଦାଠାରେ ୬ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ରରୁଆଁ ବ୍ଲକର ନୂଆବେଡ଼ା, ମରିଚା, ଶୁକ୍ରୁଳି ବ୍ଲକର ନୂଆବେଡ଼ା, ବହଳଦା ବ୍ଲକର ତେନ୍ତଳା ଇନ୍ଦକୁଲି, ଜାମଦା ବ୍ଲକର କୁଚେଇପାଳ, ଠାକୁରମୁଣ୍ଡା ବ୍ଲକର ଖଣ୍ଡବନ୍ଧ, ଖୁଂଟାପୋଷି, କୁସୁମୀ ବ୍ଲକର ହାତୀଶିକୁଳି ଏବଂ ତିରିଂ ବ୍ଲକର ଜଟାଠାରେ ୯ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଶୁଭ ଉଦଘାଟନ କରିବା ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘ ଦିନର ୩ଟି ପ୍ରମୁଖ ଦାବିକୁ ପୂରଣ କରିଥିଲେ । 

ଏହା ମଧ୍ୟରେ ଭୌଗୋଳିକ ଦୃଷ୍ଟିକୋଣରୁ ଏବଂ ପ୍ରଶାସନିକ ଶାସନ ବ୍ୟବସ୍ଥାରେ ବିକେନ୍ଦ୍ରିକରଣ ନିମନ୍ତେ ବାମନଘାଟି ସବଡ଼ିଭିଜନରେ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିୟୋଜନ କରାଯିବା, କ୍ରୀଡ଼ାର ବିକାଶ ନିମନ୍ତେ ରାଇରଙ୍ଗପୁର ଠାରେ ଏକ ଷ୍ଟାଡ଼ିୟମର ନିର୍ମାଣ, ପିପିପି ମୋଡ଼ରେ  ରାଇରଙ୍ଗପୁର ହସପିଟାଲର ଆଧୁନିକରଣ କରାଯାଇ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ହସପିଟାଲରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରିବା ସଂଗେସଂଗେ ମିଶନ ଶକ୍ତି ମାଧ୍ୟମରେ ବାମନଘାଟି ଓ ପାଂଚପୀଢ଼ ଉପଖଣ୍ଡ ଅଧୀନରେ ଥିବା ୧୨ଟି ବ୍ଲକର ୭୪୫୩ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ  ୧୧କୋଟି ୧୭ଲକ୍ଷ ୯୫ ହଜାର ଟଙ୍କା, ୧୨ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ୩ କୋଟି ଟଙ୍କା , ୧୨ଟି ବ୍ଲକର ୭୪୬୭  ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ଼ିଜିଟାଲ ସଶକ୍ତିକରଣ ନିମନ୍ତେ ୩ ହଜାର ଟଙ୍କା ଲେଖାଏଁ ୨କୋଟି ୨୪ଲକ୍ଷ ୧ହଜାର ଟଙ୍କା ସହାୟତା ଏହିପରି ୧୨ଟି ବ୍ଲକରେ ଥିବା ପଞ୍ଜିକୃତ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହାସଂଘଗୁଡ଼ିକୁ ମୋଟ ୧୬ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନର ଘୋଷଣା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ମଧ୍ୟରୁ ରାଇରଙ୍ଗପୁର ଅଂଚଳର ରଞ୍ଜିତା ଲେଙ୍କା ଓ ରମାମଣି ମହାନ୍ତ ପ୍ରମୁଖ ନବୀନ ସରକାରରେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନହୋଇ କିପରି ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ପୁରୁଷ ସହିତ ତାଳ ଦେଇ ଚଳାଇ ଆସିଥିବା ସଂଘର୍ଷ ଓ ସଫଳତାର କାହାଣୀ ବଖାଣି ଥିଲେ ଏବଂ ଏହା ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର  ଅନ୍ୟ ସଦସ୍ୟାମାନଙ୍କୁ ପ୍ରତି ମଧ୍ୟ ବେଶ୍ ପ୍ରେରଣାଦାୟୀ ପରିଲକ୍ଷିତ ହୋଇଥିଲା । 

ଏହି ଅବସରରେ ମିଶନ ଶକ୍ତି ନିଦେ୍ର୍ଧଶିକା ତଥା କମିଶନର ସୁଜାତା କାର୍ତିକେୟନ ତାଙ୍କର ସ୍ୱାଗତ ଭାଷଣରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଆଜି ଏକ ମହାଦ୍ରୁମରେ ପରିଣତ ହୋଇସାରିଛି ବୋଲି କହିବା ସହିତ ଏହା ମାଧ୍ୟମରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି ତା’ ଉପରେ ଆଲୋକପାତ କରାଇଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧାସୁଯୋଗ ଉପରେ ସମସ୍ତଙ୍କୁ ଅବଗତ କରିଥିଲେ ।  

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନୟାଗଡ଼ ବିଧାୟକ ଅରୁଣ ସାହୁ, ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ସାରସକଣା ବିଧାୟକ ଭାଦବ ହାଁସଦାଃ, ଯଶିପୁର ବିଧାୟକ ମଙ୍ଗଲସିଂ ମୋଦୀ, କରଞ୍ଜିଆ ବିଧାୟକ ବିଜୟ ନାୟକ, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦାଃ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି, ବିଜେଡ଼ି ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ବାମନଘାଟୀ ଓ ପାଂଚପୀଢ଼ ଉପଜିଲ୍ଲାପାଳ ପ୍ରମୁଖଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀ, ଅଧିକାରୀ ଉପସ୍ଥିତ ରହିଥିଲେ । ଶେଷରେ ମହିଳା ସମବାୟ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault