ବଲାଙ୍ଗିର(୧୯/୦୬): ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ୭ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।
ଏସ୍ଆଇଆର୍ ପ୍ରକ୍ରିୟାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ପରିଗଣନା ଫର୍ମ ବଣ୍ଟନ ଏବଂ ଶତପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିବାରୁ ଏହି ବିଏଲଓମାନଙ୍କୁ ସମ୍ମାନିତ କରାଯାଇଛି। ବଲାଙ୍ଗିର ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଆଲୋକ କୁମାର ପଟେଲ ପ୍ରଶଂସାପତ୍ର ପ୍ରଦାନ କରି ସେମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ବିଏଲଓମାନଙ୍କ ମଧ୍ୟରେ ଶକମା-୧ ବୁଥ୍ ନଂ–୨୫ର ବିଜୟଲକ୍ଷ୍ମୀ ସ୍ୱାଇଁ, ଶକମା-୨ ବୁଥ୍ ନଂ–୨୬ର ସନ୍ତୋଷିନୀ ସାହୁ, ଘୁଟୁପାଲି ବୁଥ୍ ନଂ–୪୬ର ଶାନ୍ତିଲତା ବରିହା, କାଲିଝରନ ବୁଥ୍ ନଂ–୬୫ର ପ୍ରମିଳା ସୁନା, ଗୁଡେଲଗୁମା ବୁଥ୍ ନଂ–୧୮୯ର ପ୍ରମିଳା ନାଗ, ନୂଆପାଲି ବୁଥ୍ ନଂ–୧୪୯ର ମମତା ଶତପଥୀ ଏବଂ ବଲାଙ୍ଗିର ପୌରପରିଷଦ ଟିକିରାପଡ଼ା ୱାର୍ଡ ନଂ–୧୬ର ବୁଥ୍ ନଂ–୨୪୮ର ହୃଷୀକେଶ ସାଇ ପ୍ରମୁଖ ରହିଛନ୍ତି।
ବିଏଲଓମାନଙ୍କ ନିଷ୍ଠାପର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ବଲାଙ୍ଗିର ପୌରପରିଷଦର ଇଓ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସନ୍ତୋଷ ବେହେରା, ବଲାଙ୍ଗିର ବିଡିଓ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ହୃଷୀକେଶ ଗଣ୍ଡ ଏବଂ ଦେଓଗାଁ ବିଡିଓ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ପ୍ରିୟ ରଞ୍ଜନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।







