ବାଲେଶ୍ୱର: ଅପରାହ୍ନ ୨.୩୦ ଘଟିକା ସମୟରେ ବାଲେଶ୍ୱର ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ବାଲେଶ୍ୱର ଜିଲ୍ଳା ପ୍ରଶାସନର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ବାଲେଶ୍ୱର ସଦର ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ "ବିକାଶର ଧାରା ଓଡ଼ିଶା ସାରା" ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଏବଂ ମାନ୍ୟବର ଅଧ୍ୟକ୍ଷା, ସଦର ବ୍ଲକ ଶ୍ରୀମତୀ ସୁନୀତା ବେହେରା ଯୋଗ ଦେଇଥିଲେ। ତାଙ୍କ ସହିତ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ, ଜିଲ୍ଲା ପରିଷଦ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ, ଗ୍ରାମୀଣ ବିକାଶ ଏବଂ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଯୋଜନାଗୁଡ଼ିକର ସୂଚନା ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ହିତାଧିକାରୀ ସରକାରୀ ସେବା ଓ ଯୋଜନାର ସିଧାସଳଖ ଲାଭ ପାଇଥିଲେ। ବିଭିନ୍ନ ସହାୟତା ବଣ୍ଟନ, ପ୍ରମାଣପତ୍ର ପ୍ରଦାନ ଏବଂ ଅନ୍ୟାନ୍ୟ ଲୋକକଲ୍ୟାଣମୂଳକ ସୁବିଧା ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ। ପ୍ରଦର୍ଶନୀରେ ରାଜ୍ୟ ସରକାରଙ୍କ ବିକାଶମୂଳକ ସଫଳତା, ଜନକଲ୍ୟାଣକାରୀ ଯୋଜନା, ନୂତନ ଉଦ୍ୟମ ଏବଂ ବିଭାଗୀୟ କାର୍ଯ୍ୟକଳାପକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା। ଉପସ୍ଥିତ ଲୋକମାନେ ପ୍ରଦର୍ଶନୀ ପରିଦର୍ଶନ କରି ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଅବଗତ ହୋଇଥିଲେ ଏବଂ ସରକାରୀ ସେବା ଲାଭ କରିବାର ପ୍ରକ୍ରିୟା ସମ୍ପର୍କରେ ଜାଣିପାରିଥିଲେ।
ବକ୍ତାମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ବିକାଶର ସୁଫଳକୁ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚାଇବା। “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁବନ୍ଧନ ସୃଷ୍ଟି ହେଉଛି, ଯାହା ଲୋକମାନଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାରେ ସହାୟକ ହେବ।
କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟକ ସାଧାରଣ ଜନତା, ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ପରିବେଶରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଜନସାଧାରଣ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଆୟୋଜନ କରିବାକୁ ମତ ପ୍ରକାଶ କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ "ବିକାଶର ଧାରା ଓଡ଼ିଶା ସାରା" ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ
- Hits: 17







