ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମଠାରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଳ୍ୟରେ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)–୨୦୨୬ର ଫାଇନାଲ ମ୍ୟାଚ୍ ମଙ୍ଗଳବାର ଅପରାହ୍ନରେ ଅତ୍ୟନ୍ତ ରୋମାଞ୍ଚକର ଭାବେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷ ପୂର୍ଣ୍ଣ ମୁକାବିଲାରେ ବ୍ରଦର୍ଶ ଇଲେଭେନ୍ ମାତ୍ର ୧ ରନ୍ ବ୍ୟବଧାନରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟରକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ଟ୍ରଫି ହାସଲ କରିଥିଲା।
ବର୍ଷା ଯୋଗୁଁ ମ୍ୟାଚ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବ୍ରଦର୍ଶ ଇଲେଭେନ୍ ନିର୍ଦ୍ଧାରିତ ୭ ଓଭରରେ ୮ ଉଇକେଟ ହରାଇ ୫୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟର ବିଜୟ ଲକ୍ଷ୍ୟର ପିଛା କରି ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ୭ ଓଭରରେ ୬ ଉଇକେଟ ବିନିମୟରେ ୫୩ ରନ୍ ସଂଗ୍ରହ କରିପାରିଥିଲେ। ଫଳରେ ଦଳକୁ ରନର୍ସଅପ୍ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫାଇନାଲ ମ୍ୟାଚ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବ୍ରଦର୍ଶ ଇଲେଭେନ୍ର ରାଜେନ୍ଦ୍ରଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ଘୋଷଣା କରାଯାଇଥିଲା। ସେହିପରି ସମଗ୍ର ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପାଇଁ ବିଶ୍ୱଜିତ ପ୍ରଧାନ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ସମ୍ମାନରେ ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ଗାଁ ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ଏସ୍ଆଇ ଚକ୍ରଧର ସିଂ ଏବଂ ସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଆଜିର ମ୍ୟାଚ୍କୁ ଏମ୍.ଡି. ଆକବର ଓ ଦିନନାଥ ମାଝୀ ଅମ୍ପାୟରିଂ କରିଥିବା ବେଳେ ଅଭି, ଚନ୍ଦନ, କିଷନ, ରୋହନ, ରାମ, ଦିଗା ଓ ଗୋପାଳ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ। ସଂଘର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ପ୍ରତିଯୋଗିତା ସୁଚାରୁରୂପେ ସମ୍ପନ୍ନ ହୋଇଥିବା ବେଳେ ଆୟୋଜନକୁ କ୍ରୀଡ଼ାପ୍ରେମୀ ଓ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ।
ରାଜ୍ୟ
୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍–୨୦୨୬;ରୋମାଞ୍ଚକର ଫାଇନାଲରେ ବ୍ରଦର୍ଶ ଇଲେଭେନ୍ ଚମ୍ପିୟାନ
- Hits: 71







