କାଶୀପୁର ରୁ ବୈକୁଣ୍ଠ ଦୁରିଆ - ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଯୁବଶକ୍ତିର ଉତ୍ସାହ, ଭାଇଚାରାର ବନ୍ଧନ ଏବଂ ଗ୍ରାମୀଣ ପ୍ରତିଭାର ଏକ ସୁନ୍ଦର ପ୍ରତିଛବି। ଏହି ଭାବନାକୁ ସାକାର କରି କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳୀ ଗ୍ରାମର ମହାଦେବ ଖେଳ ପଡ଼ିଆରେ ଆୟୋଜିତ ବ୍ରହ୍ମାନନ୍ଦ ଖରା ଓ ଗିରି ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଥିଲା।
ରୋମାଞ୍ଚକର ଫାଇନାଲ ମୁକାବିଲାରେ ଆୟୋଜକ ଗ୍ରାମ ପଞ୍ଚାଳୀ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା। ମ୍ୟାଚ୍ର ପ୍ରତ୍ୟେକ ମୁହୂର୍ତ୍ତ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଥିବା ବେଳେ ବିଜୟ ପରେ ସମଗ୍ର ଖେଳ ପଡ଼ିଆ ଉଲ୍ଲାସ ଓ କରତାଳିରେ ଝୁମି ଉଠିଥିଲା।
ଉଦଯାପନୀ ଉତ୍ସବରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ, କଂସାରୀଗୁଡାର ସିଏସଆର୍ ଏବଂ ଆର୍ ଆଣ୍ଡ ଆର୍ ମୁଖ୍ୟ ତନ୍ମୟ ମହାନ୍ତି ଓ ବସନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଖେଳର ବିକାଶ ଓ ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ନେବା ପାଇଁ ଏଭଳି ଆୟୋଜନର ଭୂମିକାକୁ ପ୍ରଶଂସା କରିଥିଲେ।
ପରେ ମୁଖ୍ୟ ଅତିଥି ଶ୍ରୀ ତନ୍ମୟ ମହାନ୍ତି ବିଜୟୀ ଦଳକୁ ଚାମ୍ପିଅନ୍ ଟ୍ରଫି ପ୍ରଦାନ କରିବା ସହ ଖେଳାଳିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତିବର୍ଗ, ବୁଦ୍ଧିଜୀବୀ, ଖେଳପ୍ରେମୀ ଓ ଶତାଧିକ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହି ସଫଳ ଟୁର୍ଣ୍ଣାମେଣ୍ଟକୁ ପଞ୍ଚାଳୀ କ୍ରିକେଟ ଆସୋସିଏସନ୍ ସୁଚାରୁରୂପେ ଆୟୋଜନ କରିଥିଲା। ଖେଳ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ସୃଷ୍ଟି କରିବାରେ ଏଭଳି ଆୟୋଜନ ନିଶ୍ଚିତ ଭାବେ ପ୍ରେରଣାଦାୟକ ହୋଇପାରିଛି। ଗ୍ରାମର ମାଟିରେ ଉଠିଥିବା ଏହି କ୍ରିକେଟର ଉତ୍ସବ ଆଗାମୀ ଦିନରେ ଅନେକ ଯୁବ ପ୍ରତିଭାଙ୍କ ପାଇଁ ସ୍ୱପ୍ନର ନୂଆ ଦିଗ ଖୋଲିଦେବ ବୋଲି ସ୍ଥାନୀୟବାସୀ ଆଶା ପ୍ରକାଶ କରିଛନ୍ତି।







