ହେଡଲାଇନସ୍:

ବିଭିନ୍ନ ସ୍ଥାନରେ ରଜ ଉତ୍ସବ ମହାଆଡମ୍ବରରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ "ଆକାଂକ୍ଷା" ମହିଳା ସଂଗଠନ ପକ୍ଷରୁ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ ମହାଆଡମ୍ବରରେ ରଜ ଉତ୍ସବ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାକାନ୍ତ ଭୂୟାଁ , ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ବି କୋମଳାଙ୍ଗୀ , ମୁଖ୍ୟ ବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଓ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଅତିଥି ମାନେ ରଜ ଉତ୍ସବ ପାଳନ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥି ଆବାହନ କରିଥିବା ବେଳେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଦୀପ ମନ୍ତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସୁଶ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଏକ ଶୃତି ମଧୁର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ ବିୟୋଗରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଆକାଂକ୍ଷା ମହିଳା ସଂଗଠନର ବାର୍ଷିକ ପତ୍ରିକା " ଆକାଂକ୍ଷା" ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡିର ସମ୍ପାଦକ ଶ୍ରୀ ଆଡାଲା ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇଥିଲେ।
ପାରଳାଖେମୁଣ୍ଡିର ଦୁଇ ଜଣ ସମ୍ମାନନୀୟ ବ୍ୟକ୍ତି ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡ଼ଃ ନରସିଂହ ଗୌଡ ଏବଂ ମହିଳା ଓ ସମନ୍ୱିତ ଶିଶୁ ବିଭାଗରେ କାର୍ଯ୍ୟରତ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ରଙ୍କୁ ସମାଜ ସେବା ଦିଗରେ ସେମାନଙ୍କର ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀମତୀ ସୁଜାତା ନନ୍ଦ ପ୍ରଶସ୍ତି ପତ୍ର ପାଠ କରିଥିଲେ। ପରେ ପରେ ଆଧ୍ୟାତ୍ମିକ ଓ ସାଧାରଣ ଜ୍ଞାନ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଓ ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ପୁରୋହିତ ପରିଚାଳନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଫଳତାର ସହ ଉତ୍ତର ପ୍ରଦାନ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସଂଗୀତା ପାତ୍ର ସମସ୍ତ ଅତିଥି ବୃନ୍ଦ , ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା ଓ ସଂଯୋଜନା କରିଥିଲେ। ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଆକାଂକ୍ଷା ପତ୍ରିକା ଓ ରଜ ଉପଲକ୍ଷେ ବିଭିନ୍ନ ମିଷ୍ଟାନ୍ନ ଓ ପିଠା ବଣ୍ଟନରେ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ଓ ବାଳିକାମାନେ ରଜ ଦୋଳିର ମଜା ଉଠାଇଥିଲେ।
ସେହିପରି ବନ ଦୁର୍ଗା ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛୋଟ ଝିଅ ମାନଙ୍କୁ ନେଇ ରଜ ଦୋଳି , ନାଚ , ଗୀତ ଆୟୋଜନ ହୋଇଥିଲା।
ସେହିପରି ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ଠାରେ "ପ୍ରଗତି" ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ ଉଦୟଗିରିର ଉପ - ବିଭାଗୀୟ ଆରକ୍ଷୀ ଅଧିକାରୀ ରାକେଶ କୁମାର ସାହୁ (ଆଇ.ପି. ଏସ୍) ଯୋଗ ଦାନ କରି ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ସବୁ ବର୍ଗର ଲୋକେ ପ୍ରୋତ୍ସାହିତ କରି ଆମର ପବିତ୍ର ପରମ୍ପରାକୁ ବଜାୟ ରଖିବାକୁ ପଡ଼ିବ କହିଥିଲେ। ଵିଶିଷ୍ଟ ସମାଜ ସେବୀ ରାମଗିରିର ନିର୍ମଳା ପଟ୍ଟାନାୟକ ସାମ୍ପ୍ରତିକ ନାରୀ ସଶକ୍ତି କରଣ ପାଇଁ ନଜସ୍ୱ ସମର୍ପିତ ଶ୍ରମକୁ ସାକାର କରିବାପାଇଁ ସଦା ସର୍ବଦା ଉଜ୍ଜୀବିତ ରହିବା ପାଇଁ ଅନୁରୋଧ କରିଥିଲେ।
ପ୍ରାରମ୍ଭ ରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ , ଚାନ୍ଦିନୀ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଗତିର ଅଧ୍ୟକ୍ଷ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ ପ୍ରଗତିର ନାରୀ ସଶକ୍ତି କରଣ ର ବିଭିନ୍ନ ପର୍ବର ପାଳନ ଓ ନମୁନା ଦେଇଥିଲେ। ସମ୍ମାନିତ ଅତିଥି ଭାଗବତ ପାଢ଼ୀ ରଜ ମଉଜ ର ପ୍ରାଚୀନତା ଏବଂ ଆଧୁନିକତା ର ଏକ ତୁଳନାତ୍ମକ ବିଚାର କରିଥିଲେ। ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ବିତରଣ କରାଯାଇ ଥିଲା। ଶେଷରେ ରଜଦୋଳି ଗୀତ ସହ ସମସ୍ତ ଝିଅ ମହିଳା ଉପଭୋଗ୍ୟ ହୋଇଥିଲା। କର୍ଯ୍ୟକ୍ରମକୁ ଶରତ କୁମାର ପ୍ରଧାନ , ପାୟଲ ପାତ୍ର , ପଲକ୍ ପାତ୍ର , ଚାନ୍ଦିନୀ ସାହୁ ପରିଚାଳନା କରିଥିଲେ।

0
0
0
s2sdefault