ହେଡଲାଇନସ୍:

୧୪ ବର୍ଷ ଧରି ୮ ହଜାର ଟଙ୍କାରେ ସେବା, ଯୋଗାଣ ସହାୟକଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ସେମାନଙ୍କର ଦୀର୍ଘଦିନର ସମସ୍ୟା ଓ ଦାବିଗୁଡ଼ିକ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଏକ ନିବେଦନପତ୍ର ମାଧ୍ୟମରେ ନିଜ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି।ଯୋଗାଣ ସହାୟକମାନଙ୍କ ଦାବିପତ୍ର ଅନୁଯାୟୀ, ୨୦୧୨ ମସିହାରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ସେମାନେ କାର୍ଯ୍ୟ କରିଆସୁଛନ୍ତି। ଗତ ୧୪ ବର୍ଷ ଧରି ସେମାନେ ଚାଉଳ, ଗହମ ଓ ମାଣ୍ଡିଆ ବଣ୍ଟନ ସହ ଏନଏସଏପି ଏବଂ ଏମବିପିୟାଇ ଭତ୍ତା ବଣ୍ଟନ, ଗ୍ରାମୀଣ ଆବାସ ଗୃହର ଜିଓ-ଟ୍ୟାଗିଂ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନୋଡାଲ ଅଫିସରଙ୍କ ଦାୟିତ୍ୱ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଆସୁଛନ୍ତି।ତେବେ ଏତେ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ ମଧ୍ୟ ସେମାନେ ମାତ୍ର ୮,୦୦୦ ଟଙ୍କା ମାସିକ ପାରିଶ୍ରମିକ ପାଉଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ "ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା" ଅଧୀନରେ ଲାଭାର୍ଥୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ ଦାୟିତ୍ୱ ଯୋଗ ହେବାରୁ କାର୍ଯ୍ୟଭାର ଆହୁରି ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଯୋଗାଣ ସହାୟକମାନେ ଚାରିଦଫା ଦାବି ଉପସ୍ଥାପନ କରିଛନ୍ତି। ପ୍ରଥମତଃ, ବର୍ଦ୍ଧିତ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ସେମାନଙ୍କୁ କୁଶଳୀ ଶ୍ରମିକ ହାରରେ ମାସିକ ପାରିଶ୍ରମିକ ପ୍ରଦାନ କରାଯାଉ। ଦ୍ୱିତୀୟତଃ, ୧୪ ବର୍ଷର ସେବାକୁ ବିଚାର କରି ସେମାନଙ୍କ ଚାକିରିକୁ ନିୟମିତ କରାଯାଉ। ତୃତୀୟତଃ, ମାସିକ ପାରିଶ୍ରମିକ ସିଧାସଳଖ ବ୍ୟାଙ୍କ ଖାତାକୁ ପ୍ରଦାନ ବ୍ୟବସ୍ଥା କରାଯାଉ। ଚତୁର୍ଥତଃ, ପିଡିଏସ ସମ୍ପର୍କିତ ସମସ୍ତ କାର୍ଯ୍ୟର ଦାୟିତ୍ୱ ବହନ କରୁଥିବାରୁ ଯୋଗାଣ ସହାୟକଙ୍କ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରାଯାଉ। ବିଧାୟକ ଓ ସାଂସଦ ସର୍ବଦା ଶ୍ରମଜୀବୀ ଓ ସାଧାରଣ ଲୋକଙ୍କ ସମସ୍ୟା ନେଇ ସ୍ୱର ଉତ୍ତୋଳନ କରିଆସୁଥିବାରୁ ତାଙ୍କ ଉପରେ ନିଜମାନଙ୍କର ପୂର୍ଣ୍ଣ ଭରସା ରହିଥିବା ଯୋଗାଣ ସହାୟକମାନେ ପ୍ରକାଶ କରିଛନ୍ତି। ସରକାରଙ୍କ ଉଚ୍ଚସ୍ତରରେ ଏହି ପ୍ରସଙ୍ଗକୁ ଉପସ୍ଥାପନ କରି ସେମାନଙ୍କ ଦାବି ପୂରଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି। ଯୋଗାଣ ସହାୟକ ହେମାନନ୍ଦ ନାଏକ, ଉଲ୍ଲାସ ତ୍ରିପାଠୀ, କଳ୍ପନା ପଧାନ,କୁନ୍ତୀ ସାହୁ,ସାନ୍ତାନୁ ସାହୁ, ବିରଞ୍ଚି ବାରଭାୟା, ସୁଶାନ୍ତ ବାଦୀ, ସୁନିଲ ପଧାନ, ନିମାଇଁ ଚରଣ ନାଏକ , ସାଜନ କଉଡ଼ି, ସୁନିତା ବେହେରା,ଭାରତୀ ମେହେର, ରଞ୍ଜୁ କାହାଳୀ,ଯୋଗୀନ୍ଦ୍ର ଭାଇଁସା ଙ୍କ ସହ ଜିଲ୍ଲା ଯୋଗାଣ ସହାୟକ ସଂଘ ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault