ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଠାବ ହେଲା ବଡ଼ ମାଓ ଡମ୍ପ

ମାଲକାନଗିରି୧୫/୦୬/୨୬(ସୁରେନ୍ଦ୍ର କୁମାର ବେମାଳ): ଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ଗୁପ୍ତ ସୂଚନାକୁ ଭିତ୍ତି କରି ପୋଲିସ ଏକ ବିଶାଳ ମାଓ ଡମ୍ପ ଠାବ କରିବା ସହ ମାଟି ତଳେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ସିଲାକୋଟ୍ ଏବଂ ପେରୁଆଇକେନ୍ଦା ସଂରକ୍ଷିତ ଜଙ୍ଗଲରୁ ଏହିସବୁ ସାମଗ୍ରୀ ମିଳିଥିବା ନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଜୁନ୍ ୯ ତାରିଖରେ ଏକ ମାଓ ଡମ୍ପ ମିଳିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା। ନିକଟରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କୁ ଜେରା କରାଯିବା ସମୟରେ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଲୁଚାଯାଇଥିବା ନେଇ ସୁରାକ ମିଳିଥିଲା। ଏହାକୁ ଆଧାର କରି ଡିଭିଏଫ୍ (DVF) ଟିମ୍ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ସିଲାକୋଟ୍ ଓ ପେରୁଆଇକେନ୍ଦା ସଂରକ୍ଷିତ ଜଙ୍ଗଲରେ ଏକ ବ୍ୟାପକ କମ୍ବିଂ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ମାଟି ତଳେ ଡ୍ରମ୍ ଭିତରେ ଲୁଚାଇ ରଖିଥିବା ଏହି ବଡ଼ ଡମ୍ପଟିକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଥିଲା।ଜବତ ହୋଇଥିବା ମୁଖ୍ୟ ସାମଗ୍ରୀ
୩ଟି ଷ୍ଟେନ୍ କାର୍ବାଇନ ଗନ୍
୧ଟି ଦେଶୀ ପ୍ରସ୍ତୁତ ପିସ୍ତଲ
୧ଟି SBML ଗନ୍
୨୦ଟି UBGL ଗ୍ରେନେଡ୍
୨୯ ପ୍ରକାରର ଅନ୍ୟାନ୍ୟ ମାଓ ସାମଗ୍ରୀ
ଖାଲି ବନ୍ଧୁକ କିମ୍ବା ଗ୍ରେନେଡ୍ ନୁହେଁ, ବରଂ ମାଓବାଦୀମାନେ ଜଙ୍ଗଲ ଭିତରେ ଅସ୍ତ୍ରଶସ୍ତ୍ର ତିଆରି ଏବଂ ମରାମତି ପାଇଁ ବ୍ୟବହାର କରୁଥିବା କିଛି ଯନ୍ତ୍ରପାତି ମଧ୍ୟ ପୋଲିସ ହାତରେ ଲାଗିଛି। ଜବତ ସାମଗ୍ରୀ ମଧ୍ୟରେ ଏକ ଓଜନ ମାପିବା ମେସିନ୍ ଏବଂ ୱେଲଡିଂ ମେସିନ୍ ଭଳି କାରଖାନା ଉପକରଣ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାଓବାଦୀମାନେ ସେଠାରେ ବଡ଼ ଧରଣର ନାଶକର ଅସ୍ତ୍ର ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଥିଲେ।
ପୂର୍ବରୁ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଶାନ୍ତ କରିବା ପାଇଁ ଜଙ୍ଗଲ ଭିତରେ ଲୁଚି ରହିଥିବା ଅନ୍ୟାନ୍ୟ ମାଓ ଡମ୍ପଗୁଡ଼ିକୁ ଖୋଜିବାକୁ ଆଗକୁ ମଧ୍ୟ ଏହିଭଳି ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି। ଏହି ବଡ଼ ସଫଳତା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ା କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।







