ବାଲେଶ୍ୱର, ୨୫/୦୫/୧୦୨୬: ଆଗାମୀ ପବିତ୍ର ‘ଈଦ୍-ଉଲ୍-ଜୁହା’ ବା ବକ୍ରିଦ୍ ପର୍ବକୁ ସମଗ୍ର ବାଲେଶ୍ୱର ସହରରେ ଶାନ୍ତି, ମୈତ୍ରୀ ଏବଂ ସାମ୍ପ୍ରଦାୟିକ ସଦ୍ଭାବନାର ସହ ପାଳନ କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ଶାନ୍ତି କମିଟି (Peace Committee) ବୈଠକ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୫ ଘଟିକା ସମୟରେ ଆରମ୍ଭ ହୋଇଥିବା ଏହି ସମୀକ୍ଷା ତଥା ସଦ୍ଭାବନା ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ ଏବଂ ମୁସଲିମ୍ ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ଯୋଗ ଦେଇଥିଲେ।
ବାଲେଶ୍ୱରର ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ, ଉପ ଜିଲ୍ଲାପାଳ ବାଲେଶ୍ୱର, ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ସଦର SDPO, ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ନାଏକ ପ୍ରମୁଖ ଏହି ଉଚ୍ଚସ୍ତରୀୟ ବୈଠକରେ ମଞ୍ଚାସୀନ ଥିଲେ । ଏହା ସହିତ ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ମସଜିଦ୍ କମିଟିର ସଭାପତି, ସମ୍ପାଦକ, ମୌଲାନା ଏବଂ ମୁସଲିମ୍ ସମ୍ପ୍ରଦାୟର ଶତାଧିକ ସଦସ୍ୟ ଏହି ବୈଠକରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପର୍ବକୁ ସୂଚାରୁରୂପେ ପାଳନ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
ଚଳିତ ବର୍ଷ ପବିତ୍ର ବକ୍ରିଦ୍ ଉତ୍ସବ ଆସନ୍ତା ମେ ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯିବ। ଏହି ଅବସରରେ ମସଜିଦ୍ ଏବଂ ଈଦ୍ଗାହଗୁଡ଼ିକରେ ସମୂହ ନମାଜ ପାଠ ସହ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବାର ପରମ୍ପରା ରହିଛି। ବାଲେଶ୍ୱରର ସଂସ୍କୃତି ସଦାସର୍ବଦା ଭାଇଚାରାର ସଂସ୍କୃତି ହୋଇଥିବାରୁ, ଏହି ତିନି ଦିନ କିପରି ସହରରେ ସୁରକ୍ଷା ଓ ଶାନ୍ତିର ମାହୋଲ ବଜାୟ ରହିବ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ବୈଠକରେ ଅଧ୍ୟକ୍ଷତା କରି ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଯେ, "ବାଲେଶ୍ୱର ହେଉଛି ଅମାୟିକ ସଦ୍ଭାବନାର ସହର। ଏଠାରେ ସମସ୍ତ ସମ୍ପ୍ରଦାୟର ଲୋକେ ମିଳିମିଶି ପ୍ରତ୍ୟେକ ପର୍ବପର୍ବାଣୀ ପାଳନ କରିଥାନ୍ତି। ଆଗାମୀ ମେ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଈଦ୍-ଉଲ୍-ଜୁହା ପର୍ବକୁ ଅତି ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସମସ୍ତ ମସଜିଦ୍ ନିକଟରେ ସ୍ୱଚ୍ଛତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।" ଜନସାଧାରଣ ଯେପରି କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନ କରନ୍ତି ଏବଂ ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ସେୟାର ନ କରନ୍ତି, ସେଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ (SP) ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଉତ୍ସବ ସମୟରେ ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳ, ମସଜିଦ୍ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦିନରାତି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସେ କହିଛନ୍ତି, "ପୋଲିସ ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଦା ପ୍ରସ୍ତୁତ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଏହି ସମୟରେ ବାଣ ଏବଂ ଡିଜେ କୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କର ଯାଇଛି । ଅପରାହ୍ନ ୪.୦୦ ଘଟିକା ରୁ ରାତି ୧୦.୦୦ ଘଟିକା ପର୍ଯ୍ୟନ୍ତ ବକ୍ରିଦ୍ ପାଳନ କରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଛି ।
ବୈଠକରେ ଉପସ୍ଥିତ ଥିବା ମୁସଲିମ୍ ସମ୍ପ୍ରଦାୟର ବରିଷ୍ଠ ନେତୃବୃନ୍ଦ ଏବଂ ଈଦ୍ଗାହ କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ ସ୍ୱାଗତ କରିଥିଲେ। ସେମାନେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ସହ କହିଥିଲେ ଯେ, ବକ୍ରିଦ୍ ହେଉଛି ତ୍ୟାଗ, ଦୟା ଏବଂ ମାନବିକତାର ପର୍ବ। ବାଲେଶ୍ୱରର ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ଥିବା ସଦ୍ଭାବନାକୁ କେହି କେବେ ଭଙ୍ଗ କରିପାରିବେ ନାହିଁ। ପର୍ବକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ବୋଲି ସେମାନେ ସମବେତ ସ୍ୱରରେ ପ୍ରକାଶ କରିଥିଲେ।
ରାଜ୍ୟ
‘ଈଦ୍-ଉଲ୍-ଜୁହା’ (ବକ୍ରିଦ୍) ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
- Hits: 24







