ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସ୍ତାରେ ବିଞ୍ଚଣା ହଲାଇ ପ୍ରତିବାଦ କରିଥିଲେ। ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରାଯାଇଥିଲା। ରାଜ୍ୟରେ ୨୦ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ସରକାର ବଳକା ବିଜୁଳିକୁ ଅନ୍ୟ ରାଜ୍ୟକୁ କମ୍ ଦରରେ ବିକ୍ରି କରୁଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ୟୁନିଟ୍ ପିଛା ଅଧିକ ଦରରେ ଯୋଗାଉଛନ୍ତି। ବିଜେପି ସରକାର ଘୋଷଣା କରିଥିବା ୩ ଶହ ୟୁନିଟ୍ ମାଗଣା ବିଜୁଳି କୁଆଡ଼େ ଗଲା ବୋଲି ନୟାଗଡ଼ ବିଧାୟକ ଡ. ସାହୁ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାରଙ୍କ ଅପରଗତା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏବେ ପରିସ୍ଥିତି ଭୟଙ୍କର ହୋଇଛି। ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ବିଭ୍ରାଟ କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଘୋର ସଙ୍କଟ ଭିତରକୁ ଠେଲୁଛି । ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଏହାର ପ୍ରତିକାର ପାଇଁ ଦାବୀ ରଖିଛି। ସ୍ମାର୍ଟ ମିଟର ବସାଇ ଅଘୋଷିତ ଭାବରେ ରାତି ଅଧିଆ ଲାଇନ କାଟି ଦେବା ନିନ୍ଦନୀୟ। ଟାଟା ପାୱାର ମରାମତି ଆଳରେ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ବିଜୁଳି କାଟିବା, ଉପଭୋକ୍ତାଙ୍କୁ ଅନ୍ଧାରରେ ରଖିବା, ଲୋ- ଭୋଲଟେଜ ସମସ୍ୟା ସୃଷ୍ଟିକରି ଲକ୍ଷ ଲକ୍ଷ ଟଙ୍କାର ମୋଟର, କମ୍ପୁଟରକୁ ପୋଡି ଅଚଳ କରିଦେବା , ରୋଗୀ, ଵୃଦ୍ଧ, ଶିଶୁଙ୍କୁ ଗରମରେ ସଢ଼ାଇ ମାରିବା, ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନୀୟ ଜଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଚି ହେବା, ଅଫିସ ଦପ୍ତରର କମ୍ପ୍ୟୁଟରକୁ ନିକମା କରି ଲୋକଙ୍କ କାମରେ ବ୍ୟାଘାତ ସୃଷ୍ଟି କରିବା ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆଜି ବିଜୁ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଯଦି ସରକାରଙ୍କ ନିଦ ନଭାଙ୍ଗେ ଆଗାମୀ ଦିନରେ ଜୋରଦାର ବିରୋଧ ହେବ ବୋଲି ବିଧାୟକ କହିଛନ୍ତି। ଏହା ସହିତ ବିଜେପି ସରକାର ତିନି ଶହ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ କରୁ ବୋଲି ଦାବି କରିଛନ୍ତି। ନିରନ୍ତର ବିଦ୍ୟୁତ୍ ଯୋଗାଣ, ୩ ଶହ ୟୁନିଟ୍ ମାଗଣ ବିଦ୍ୟୁତ୍, ମାତ୍ରଧିକ ଦେୟ ଆଦାୟ କମାଇବା, କୃଷି କ୍ଷେତକୁ ମାଗଣ ବିଦ୍ୟୁତ୍ ଯୋଗାଣ ପାଇଁ ନୟାଗଡ଼ ବିଧାୟକ ଦାବି ରଖିଛନ୍ତି । ବିକ୍ଷୋଭ ପରେ ଏକ ପ୍ରତିନିଧି ମଣ୍ଡଳୀ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜୋରଦାର ବିରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ପୈାରାଞ୍ଚଳ ସଭାପତି ଦାଶରଥି ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ କହଁର, ମହିଳା ବିଜେଡି ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବହୁ କାଉନସିଲର, ସରପଞ୍ଚ, ସମିତି ସଭ୍ୟ ଓ ସାଧାରଣ ଲୋକ ସାମିଲ ହୋଇଥିଲେ।
ରାଜ୍ୟ
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ, ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ
- Hits: 19







