ହେଡଲାଇନସ୍:

ଓଡ଼ିଶା ମେଟାଲିକ୍ସ କମ୍ପାନୀର ବେଆଇନ ପାଣି ଉତ୍ତୋଳନ ନେଇ ଜନପ୍ରତିନିଧି ପ୍ରଶାସନ ର ଦ୍ୱାରସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦ ନଳକୂପରୁ ୧୩ଟି ବେଆଇନ ଚିହ୍ନଟ, କମ୍ପାନୀ ଅଧିକାରୀଙ୍କ ବିରୋଧରେ ଏଫଆଇଆର; ଆନ୍ଦୋଳନ ଚେତାବନୀ


ଝାରସୁଗୁଡ଼ା, ୨୫/୫: ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବିରୋଧରେ ବେଆଇନ ଭାବେ ଗଭୀର ନଳକୂପ ଖନନ ଓ ଇବ ନଦୀରୁ ଜଳ ପ୍ରବାହ ମୋଡ଼ି ଅତ୍ୟଧିକ ପାଣି ଉତ୍ତୋଳନ ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ, ଜନପ୍ରତିନିଧି ଓ ଜିଲ୍ଲା ପରିଷଦ ସଦସ୍ୟମାନେ ସୋମବାର ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ କମ୍ପାନୀର ତିନି ଜଣ ଅଧିକାରୀଙ୍କ ବିରୋଧରେ ଥାନାରେ ଏଫଆଇଆର ଦାୟର କରିଛନ୍ତି

ଅଭିଯୋଗ ଅନୁଯାୟୀ, କମ୍ପାନୀକୁ ଶିଳ୍ପ କାର୍ଯ୍ୟ ପାଇଁ କେବଳ ୭ଟି ଗଭୀର ନଳକୂପ ଖନନର ଅନୁମତି ମିଳିଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ପ୍ରାୟ ୨୦ଟି ନଳକୂପ ଖନନ କରାଯାଇ ପ୍ରତିଦିନ ବ୍ୟାପକ ଭାବରେ ଭୂତଳ ଜଳ ଉତ୍ତୋଳନ କରୁଛି। ଏହି ଅଭିଯୋଗର ତଦନ୍ତ ପାଇଁ ଗତ ୨୨ ମଇରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ନିର୍ଦ୍ଦେଶରେ ଗଠିତ ଏକ ଯୁଗ୍ମ ତଦନ୍ତ କମିଟି କାରଖାନା ପରିଦର୍ଶନ କରିଥିଲା। ତଦନ୍ତରେ ୨୦ଟି ନଳକୂପ ଚାଲୁଥିବା ବେଳେ ସେଥିରୁ ୧୩ଟି ସମ୍ପୂର୍ଣ୍ଣ ବେଆଇନ ଥିବା ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି।

ଏହାସହ କମ୍ପାନୀ ପକ୍ଷରୁ ଇବ ନଦୀ ଶଯ୍ୟାରେ ବେଆଇନ ବାଲି ବନ୍ଧ ଏବଂ ଇନଟେକ୍ ୱେଲ୍ ନିର୍ମାଣ କରି ନଦୀର ସ୍ୱାଭାବିକ ଜଳ ପ୍ରବାହକୁ ପମ୍ପ ହାଉସ୍ ଆଡ଼କୁ ମୋଡ଼ି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପମ୍ପ ହାଉସ୍ ଜରିଆରେ ପ୍ରତିଦିନ ଲକ୍ଷାଧିକ ଲିଟର ପାଣି କାରଖାନାକୁ ଉଠାଯାଉଥିବାରୁ ଜଳସମ୍ପଦ ବିଭାଗର ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି।

ଏହି ଘଟଣାକୁ ନେଇ ଜମେରା ଓ ଇବ ଅଞ୍ଚଳର ଗ୍ରାମବାସୀ ଝାରସୁଗୁଡ଼ା ସଦର ଥାନାରେ ଏକ ଲିଖିତ ଏଫଆଇଆର ଦାଖଲ କରିଛନ୍ତି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ପଟୱାରୀ, ପ୍ଲାଣ୍ଟ ହେଡ୍ ସୁମିତ ପାଲ ଏବଂ ଉପ-ସଭାପତି ଅଜିତ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଝାରସୁଗୁଡ଼ା ଜୋନ୍-୨ର ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ ଏବଂ ମରାକୁଟା ସରପଞ୍ଚ ଲିଲି ତନ୍ତୀଙ୍କ ନେତୃତ୍ୱରେ ବୁଢ଼ୀପଦର, ଜମେରା ଓ ବ୍ରଜରାଜନଗର ଅଞ୍ଚଳର ଗ୍ରାମବାସୀମାନେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ବେଆଇନ ବୋରୱେଲଗୁଡ଼ିକୁ ସିଲ୍ କରିବା, ପମ୍ପ ହାଉସ୍ ବନ୍ଦ କରିବା, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ବିକଳ୍ପ ଜଳ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ ଫଳରେ ମରାକୁଟା ଓ ଜମେରା ପଞ୍ଚାୟତ ଅଞ୍ଚଳର କୂଅ ଓ ସାଧାରଣ ନଳକୂପରେ ଜଳସ୍ତର ହ୍ରାସ ପାଇଛି। ଚଳିତ ଗ୍ରୀଷ୍ମରେ ପିଇବା ପାଣି ପାଇଁ ଲୋକମାନେ ଗୁରୁତର ସମସ୍ୟାରେ ପଡ଼ିଥିବା କୁହାଯାଇଛି।

ଦାବିପତ୍ରରେ ଚେତାବନୀ ଦିଆଯାଇଛି ଯେ, ଯଦି ପ୍ରଶାସନ ପକ୍ଷରୁ ଶୀଘ୍ର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରାଯାଏ, ତେବେ ମଙ୍ଗଳବାରଠାରୁ ଗ୍ରାମବାସୀମାନେ କମ୍ପାନୀର ଇନଟେକ୍ ୱେଲ୍ ଓ ପମ୍ପ ହାଉସ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ସହ ଜଳ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିବେ।

ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ, ଉପ-ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି।

ଏହି ଅଭିଯୋଗ ସମ୍ପର୍କରେ କମ୍ପାନୀର ଉପ-ସଭାପତି ପ୍ଲାଣ୍ଟ ମୁଖ୍ୟ ସୁମିତ୍ ପାଲ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ମାତ୍ର ସେ ଏ ସମ୍ପର୍କରେ ମୁଁ କିଛି ଜାଣି ନଥିବା କହି ସେ ଫୋନ୍ ଟି କାଟି ଦେଇଥିଲେ । ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ରିପୋର୍ଟ ଆସିବା ପରେ କମ୍ପାନୀ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

0
0
0
s2sdefault