ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରିପଦା ଗସ୍ତ ଜାନୁଆରୀ ୩୦ରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସୁଛନ୍ତି ।  ବାରିପଦା ଛଉପଡ଼ିଆରେ ପ୍ରାୟ ୫୦ ହଜାରରୁ ଅଧିକ ମହିଳାମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏକ ସରକାରୀ କାର୍ଯ୍ୟକ୍ରମ(ମିଶନ ଶକ୍ତି ସମାରୋହ)ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ଏଥି ସହିତ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ । ଏଥି ନିମନ୍ତେ ସରକାରୀସ୍ତରୀୟ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଶେଷ ହୋଇସାରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ଡ଼ିଏସପି, ୧୦୦ରୁ ଅଧିକ ଅଫିସରଙ୍କ ଅଧୀନରେ ୨୬ ପ୍ଲାଟୁନ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜନ କରାଯାଇଛି । ସଭାସ୍ଥଳକୁ ଆସୁଥିବା ଯାନଗୁଡ଼ିକର ପାର୍କିଂ ନିମନ୍ତେ ମଧୁବନ ମିନି ଷ୍ଟାଡ଼ିଅମ, ମୁର୍ଗାବାଡ଼ି, ଷ୍ଟେସନ ଖେଳ ପଡ଼ିଆ ସହିତ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ିରୁ ପାଲବଣି ବାଇପାସ ପର୍ଯ୍ୟନ୍ତ ବିଭିନ୍ନ ଖୋଲା ସ୍ଥାନକୁ ଚୟନ କରାଯାଇଛି । ସେହିପରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ୧୪ଟି ବ୍ଲକରୁ ଆସୁଥିବା ୫୦ ହଜାରରୁ ଅଧିକ ମହିଳାମାନଙ୍କର ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଶାମାଖୁଣ୍ଟା, ଜି.ବି.ନଗର, ବେତନଟୀ, କପ୍ତିପଦା, ଉଦଳା, ବାରିପଦା, ବଡ଼ସାହି ଓ ବାରିପଦା ପୌରପରିଷଦ ନିମନ୍ତେ ବାରିପଦା ଷ୍ଟାଡ଼ିଅମ ଏବଂ ବାଙ୍ଗିରିପୋଷି, ସାରସକଣା, କୁଳିଅଣା, ରାସଗୋବିନ୍ଦପୁର, ମୋରଡ଼ା ଓ ଶୁଳିଆପଦା ବ୍ଲକ ନିମନ୍ତେ ଜଗଦ୍ଧାତ୍ରୀ ମେଳାପଡ଼ିଆରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି । 

            ମିଶନ ଶକ୍ତି କାର୍ଯ୍ୟକ୍ରମ ନାମରେ ଆୟୋଜିତ ଉକ୍ତ ମହିଳା ସମାବେଶ ୨୦୧୯ ସାଧାରଣ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରିଛି । ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଉକ୍ତ କାର୍ଯ୍ୟକ୍ରମକୁ ଦୃଢ଼ ଭାବେ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ମିଥ୍ୟା ଯୋଜନା ଦ୍ୱାରା ଜିଲ୍ଲାର ନିରୀହ ଆଦିବାସୀ ହରିଜନ ଓ ଗରୀବ ଜନସାଧାରଣଙ୍କୁ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ହୀନ ପ୍ରୟାସ ଚଳାଇଛନ୍ତି । ତାଙ୍କର ଏହି ଉଦ୍ୟମ କେବେ ଫଳପ୍ରଦ ହେବ ନାହିଁ । ସେହିପରି ଜିଲ୍ଲାପ୍ରଶାସନ ବିଜେଡ଼ି ଦଳର ହାତବାରିସୀ ସାଜି କାର୍ଯ୍ୟ କରୁଛି । ସମାବେଶ ନାମରେ ଜନସାଧାରଣଙ୍କ ଟିକସକୁ ଅପବ୍ୟବହାର କରାଯାଉଛି । ୩ ଦିନ ଧରି ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ଅଫିସର ବିହୀନ ହୋଇପଡ଼ିଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଦାସ ଅଭିଯୋଗ କରିଛନ୍ତି । ତେବେ ମିଶନ ଶକ୍ତି ନାମରେ ଆୟୋଜିତ ଉକ୍ତ ମହିଳା ସମାବେଶ ବିଜଦର ଶକ୍ତି ପ୍ରଦର୍ଶନ ଏବଂ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ଏହିପରି ସମାବେଶ ଆୟୋଜନ କରିଥିଲା ବୋଲି ଜନସାଧାରଣରେ ଆଲୋଚନା ହେଉଥିବାର ପରିଲକ୍ଷିତ ହୋଇଛି । 

0
0
0
s2sdefault