ଝାରସୁଗୁଡ଼ା: ସମାଜକୁ ଲଜ୍ଜିତ କରିଦେଇଥିବା ଏକ ସମ୍ବେଦନଶୀଳ ମାମଲାରେ ଝାରସୁଗୁଡ଼ା ପୋକ୍ସୋ କୋର୍ଟ ଦୃଢ଼ ଓ କଠୋର ରାୟ ଶୁଣାଇଛନ୍ତି। ନିଜ ୧୬ ବର୍ଷୀୟା ସାବତ ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସାବତ ବାପା ରଞ୍ଜିତ କୁମାର ମିଶ୍ରଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଦିଆଯାଇଛି।
ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍ ତଥା ପୋକ୍ସୋ କୋର୍ଟର ମାଜିଷ୍ଟ୍ରେଟ୍ ପୂଜା ଷଡ଼ଙ୍ଗୀ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଅଦାଲତ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନର ଧାରା-୬ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ସୂଚନାଅନୁସାରେ, ଝାରସୁଗୁଡ଼ା ପୁରୁଣାବସ୍ତି ଓରାମ ପଡ଼ାର ବାସିନ୍ଦା ରଞ୍ଜିତ କୁମାର ମିଶ୍ର ନିଜ ସ୍ତ୍ରୀ ଓ ସାବତ ଝିଅ ସହ ରହୁଥିଲେ। ୨୦୨୪ ଜାନୁଆରୀ ଓ ମଇ ମାସରେ ସ୍ତ୍ରୀ ଘରେ ନଥିବା ସମୟରେ ସେ ନାବାଳିକାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଘଟଣା ବିଷୟରେ କାହାକୁ କହିଲେ ହତ୍ୟା କରିଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ରହିଛି।
ଗତ ଜୁଲାଇ ୨୯ ତାରିଖରେ ଅଭିଯୁକ୍ତ ପୁଣିଥରେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ପୀଡ଼ିତାଙ୍କ ମା’ ଘଟଣାଟି ଦେଖି ପ୍ରତିବାଦ କରିଥିଲେ। ପରେ ସେହିଦିନ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା।
ପୋଲିସ ଟାଉନ ଥାନା କେସ୍ ନମ୍ବର ୪୯୭/୨୦୨୪ ଅନୁସାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ପୋକ୍ସୋ ଆଇନ ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ତଦନ୍ତ ଦ୍ରୁତଗତିରେ ସମ୍ପନ୍ନ କରି ପୋଲିସ ମାତ୍ର ୫୮ ଦିନ ମଧ୍ୟରେ ଚାର୍ଜଶିଟ୍ ଦାଖଲ କରିଥିଲା।
ଅଦାଲତ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ଜରିମାନାର ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ଓକିଲ ରାଜକୁମାର ଶ୍ରୀବାସ ପୀଡ଼ିତାଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।







