କେନ୍ଦ୍ରାପଡ଼ା:୨୨.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା (INCOIS) ଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତରେ ସୁନାମୀ ମକ୍ ଡ୍ରିଲ୍ ଏବଂ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ତାଳଚୁଆ ପଞ୍ଚାୟତର ରାଜେଶ୍ୱରୀ ନଗର, ରାଜେନ୍ଦ୍ର ନଗର, ତାଳଚୁଆ, ଟିକାୟତ ନଗର ଏବଂ ବିରଭଞ୍ଜପୁର ସମେତ ୫ଟି ଗ୍ରାମରେ ଆୟୋଜିତ ଏହି ମକ୍ ଡ୍ରିଲ୍ରେ ପ୍ରାୟ ୪୦୦୦ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଗ୍ରାମ ସ୍ତରର ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ସୁନାମୀ ପ୍ରସ୍ତୁତି ଯୋଜନା ଅନୁସାରେ ସ୍ଥାନାନ୍ତରଣ ପ୍ରକ୍ରିୟାର ବ୍ୟବହାରିକ ଅଭ୍ୟାସ କରାଯାଇଥିଲା। ଏହି ଅଭ୍ୟାସ କାର୍ଯ୍ୟକ୍ରମ ସମୟରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର (ITEWC) ପକ୍ଷରୁ ପ୍ରାତଃ ୮ଟାରୁ ୧୧ଟା ପର୍ଯ୍ୟନ୍ତ ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରସାରଣ କରାଯାଇଥିଲା। ସୁନାମୀ ସମୟରେ ପୂର୍ବ ସତର୍କ ସୂଚନା, ଯୋଗାଯୋଗ ବ୍ୟବସ୍ଥା, ଜରୁରୀ ନିଷ୍ପତ୍ତି ଗ୍ରହଣ ଓ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। IOC–UNESCO ର ୧୨ଟି ମାନକ ସୂଚକାଙ୍କ ଅନୁଯାୟୀ ମୂଲ୍ୟାଙ୍କନ ମଧ୍ୟ ସମ୍ପନ୍ନ ହୋଇଥିଲା। ତାଳଚୁଆ ପଞ୍ଚାୟତର ଗ୍ରାମବାସୀଙ୍କ ପାଇଁ ବାଘମାରୀ ଓ ରଙ୍ଗଣୀ ପଞ୍ଚାୟତର ବିଦ୍ୟାଳୟ ଏବଂ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇଥିଲା।
କାର୍ଯ୍ୟକ୍ରମରେ OSDMA ପକ୍ଷରୁ ଡିଜିଏମ ଜୟ ଜଗତ ସାହୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ବେଳେ ରାଜନଗର ବିଡିଓ ଅଶୋକ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିତ୍ୟ ରଞ୍ଜନ ସାମଲ, ଡିପିଓ ଅଜୟ କୁମାର ମହାନ୍ତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଗୁଡିଆ ଏବଂ ଜୀବନଦୀପ ଓ ଅନ୍ୱେଷଣ ଏନଜିଓର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସୁନାମୀ ଅଭ୍ୟାସ କାର୍ଯ୍ୟକ୍ରମ। ପୂର୍ବରୁ ମହାକାଳପଡ଼ା ବ୍ଲକରେ ପ୍ରଥମ ପର୍ଯ୍ୟାୟ ସମ୍ପନ୍ନ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ୨୯ ମେ ୨୦୨୬ରେ ଚାଳଚୁଆ ପଞ୍ଚାୟତର ୪ଟି ଗ୍ରାମ ଓ ବାଘମାରି ପଞ୍ଚାୟତରେ ଗୋଟିଏ ଗ୍ରାମ ପାଇଁ ସୁନାମୀ ଅଭ୍ୟାସ କରାଯିବ |
କେନ୍ଦ୍ରାପଡ଼ା ଜିଲ୍ଲାର ୧୫ଟି ଉପକୂଳବର୍ତ୍ତୀ ଗ୍ରାମକୁ ପର୍ଯ୍ୟାୟକ୍ରମେ “ସୁନାମୀ ପ୍ରସ୍ତୁତ ସମ୍ପ୍ରଦାୟ” ଭାବେ ଗଢ଼ି ତୋଳିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଓଡ଼ିଶା ଛଅଟି ଉପକୂଳବର୍ତ୍ତୀ ଜିଲ୍ଲାର ୩୮୨ଟି ସୁନାମି ପ୍ରବଣ ଗ୍ରାମ ମଧ୍ୟରୁ ଚବିଶ (୨୪)ଟି ଗ୍ରାମକୁ ସୁନାମି ପ୍ରସ୍ତୁତ କରି ସାରିଛି । ଭାରତ ମହାସାଗର ସୁନାମି ପ୍ରସ୍ତୁତ କାର୍ଯ୍ୟକ୍ରମ ଅଧୀନରେ ସୁନାମି ପ୍ରସ୍ତୁତ ଚିହ୍ନଟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାର ପ୍ରଥମ ପର୍ଯ୍ୟାୟରେ, ରାଜ୍ୟକୁ ଆନ୍ତଃସରକାରୀ ସମୁଦ୍ର ବିଜ୍ଞାନ କମିଶନ (IOC-UNESCO) ଦ୍ୱାରା ଆନୁଷ୍ଠାନିକ ଭାବରେ 'ସୁନାମି ପ୍ରସ୍ତୁତ' ଭାବରେ ଏହାର ସମ୍ପ୍ରଦାୟର ମାନ୍ୟତା ମିଳିଛି। ୧୧ ନଭେମ୍ବର, ୨୦୨୪ରେ ଇଣ୍ଡୋନେସିଆର ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ସୁନାମି ସିମ୍ପୋଜିୟମରେ ୟୁନେସ୍କୋ-IOC ଓଡ଼ିଶାର ୨୬ଟି ଉପକୂଳବର୍ତ୍ତୀ ଗ୍ରାମ (୨୪ଟି ନୂତନ ଏବଂ ୨ଟି ନବୀକରଣ)କୁ ସୁନାମି ପ୍ରସ୍ତୁତ ସମ୍ପ୍ରଦାୟ ଭାବରେ ମାନ୍ୟତା ଦେଇଥିଲା ଏବଂ INCOIS କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ
ରାଜନଗର ବ୍ଲକରେ ସୁନାମୀ ମକ୍ ଡ୍ରିଲ୍ ଓ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ।
- Hits: 19







