ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଏନ୍ଏସି କାର୍ଯ୍ୟଳୟ ସଭାଗୃହରେ ଆଜି ( ଗୁରୁବାର) ଏନ୍ଏସି ପକ୍ଷରୁ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଏମ୍ ସୁଧାରାଣୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରଳା ଯୁବ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ତହସିଲଦାର କେ. ଦିବ୍ୟ ରଞ୍ଜନ ମଞ୍ଚାସୀନ ହୋଇଥିଲେ। ସମସ୍ତ ୱାର୍ଡ କାଉନସିଲର କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତରେ ବୈଠକ ଆରମ୍ଭ ହୋଇଥିଲା।
ପରେ ଅଞ୍ଚଳରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ପରୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ। ଲୋକମାନଙ୍କ ଅଭିଯୋଗ ଆଧାରରେ ସେ କାଶୀନଗର ଏନ୍ଏସିର ବିଭିନ୍ନ ସ୍ଥାନ ଗସ୍ତ କରି ଚାଲୁଥିବା କାର୍ଯ୍ୟଗୁଡ଼ିକର ଗୁଣମାନ ଓ ପ୍ରଗତି ନେଇ ତଦାରଖ କରିଥିଲେ। ଏହି ସମୟରେ ଏନ୍ଏସିର ଜେଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭିନ୍ନ କାମର ସଠିକ୍ ମାନଚିତ୍ର ପ୍ରସ୍ତୁତ କରି ତାଙ୍କୁ ଅବଗତ କରାଇବା ସହ ଲୋକମାନଙ୍କ ସୁବିଧାକୁ ମୁଖ୍ୟତ୍ୱ ଦେଇ କାର୍ଯ୍ୟ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।
ଗସ୍ତ ସମୟରେ ବିଧାୟକ କାଶୀନଗର ଏନ୍ଏସିର ୧୧ନମ୍ବର ୱାର୍ଡରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏନ୍ଏସି କାର୍ଯ୍ୟାଳୟ ନିକଟରେ ଥିବା ସାହିରେ ଦୀର୍ଘ ବର୍ଷ ଧରି ରାସ୍ତା ଓ ନାଳ କାମ ହୋଇନଥିବା ଯୋଗୁ ସ୍ଥାନୀୟ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା କଥା ଅଭିଯୋଗ କରିଥିଲେ। ବିଶେଷକରି ବର୍ଷା ଋତୁରେ ରାସ୍ତାରେ ପାଣି ଜମି ଯାତାୟାତରେ ବାଧା ସୃଷ୍ଟି ହେବା ସହ ନାଳ ବ୍ୟବସ୍ଥା ନଥିବାରୁ ଅପରିଷ୍କାର ପରିବେଶ ତିଆରି ହେଉଥିବା କହିଥିଲେ ସ୍ଥାନୀୟ ଲୋକେ। ଏହାକୁ ଗୁରୁତ୍ୱର ସହ ନେଇ ବିଧାୟକ ଶୀଘ୍ର ରାସ୍ତା ଓ ନାଳ କାମ ଆରମ୍ଭ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ଏହି ସମସ୍ୟାକୁ ଆଉ ଅବହେଳା ନକରି ଲୋକମାନଙ୍କ ଦୈନିକ ଅସୁବିଧାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମଧ୍ୟ ବିଧାୟକ ତଦାରଖ କରିଥିଲେ। ବନ୍ଧର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ମାନଚିତ୍ର ବିଷୟରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବନ୍ଧରେ ସବୁବେଳେ ପାଣି ରହିପାରିବା ଓ ତାହାକୁ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ଭାବେ ଗଢ଼ି ତୋଳିବାକୁ କିପରି ପଦକ୍ଷେପ ନିଆଯିବ, ସେନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜେଇଙ୍କ ସହ ବିଧାୟକ ବିସ୍ତୃତ ଆଲୋଚନା କରିଥିଲେ।
ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ଓ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏହି ବନ୍ଧର ବିକାଶ କାର୍ଯ୍ୟ ସଠିକ୍ ଭାବରେ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଅନ୍ୟ ଏକ ବନ୍ଧର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଚାଷୀ ବିଧାୟକଙ୍କୁ ଜଣାଇଥିଲେ। ଉକ୍ତ ବନ୍ଧର ପୁନରୁଦ୍ଧାର ହେଲେ ବନ୍ଧ ଚାରି ପାଖରେ ଥିବା ଶହ ଶହ ଏକର ଜମି ଫସଲ ପାଇଁ ସୁବିଧାଦାୟକ ହୋଇପାରିବ ବୋଲି ଗୁହାରି କରିଥିଲେ ଚାଷୀ। ଉକ୍ତ ବନ୍ଦକୁ ବିଧାୟକ ଗସ୍ତ କରି ଏନ୍ଏସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯେପରି ଉକ୍ତ ବନ୍ଧ ଚାଷୀଙ୍କ ଉପଯୋଗୀ ହୋଇପାରିବ ସେନେଇ ବନ୍ଧର କାର୍ଯ୍ୟ କରିବା ନେଇ କହିଥିଲେ।
ଏହାସହ କାଶୀନଗର ଏନ୍ଏସି ଭିତର ଦେଇ ଯାଇଥିବା ପୂର୍ତ୍ତି ବିଭାଗର ନୂତନ ଡ୍ରେନେଜ କାର୍ଯ୍ୟକୁ ନେଇ ଉଠିଥିବା ଅଭିଯୋଗ ଉପରେ ମଧ୍ୟ ବିଧାୟକ ଗୁରୁତ୍ୱ ଦେଇଥିଲେ। ଡ୍ରେନେଜ ପାଇଁ ହୋଇଥିବା ଉଚ୍ଛେଦ କାର୍ଯ୍ୟରେ ପାତରଅନ୍ତର ହୋଇଥିବା ସହ କେତେକ ସ୍ଥାନରେ ଜବରଦଖଲ ଉଚ୍ଛେଦ ହୋଇନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ବିଶେଷକରି ରାସ୍ତା କଡ଼ରେ ଥିବା କିଛି ଏନ୍ଏସି ସ୍ଥାନ ଉଚ୍ଛେଦରୁ ବାଦ ପଡ଼ିଥିବାରୁ ଡ୍ରେନେଜ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନଥିବା କହିଥିଲେ ସ୍ଥାନୀୟ ବାସିନ୍ଦାମାନେ। ଏହାକୁ ନେଇ ବିଧାୟକ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତତ୍କାଳୀନ ପୂର୍ତ୍ତି ବିଭାଗ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମସ୍ତ ସ୍ଥାନର ତଦନ୍ତ କରି ଯେଉଁଠି ଜବରଦଖଲ ରହିଛି ତାହାକୁ ଉଚ୍ଛେଦ କରିବା ସହ ଡ୍ରେନେଜ କାର୍ଯ୍ୟକୁ ନିୟମ ଅନୁଯାୟୀ ଓ ସଠିକ୍ ଭାବରେ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ସୁବିଧା ଓ ସହରର ସୁନ୍ଦର ପରିବେଶ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ସଠିକ୍ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଗସ୍ତ ସମୟରେ ବିଧାୟକ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପାଣି ସମସ୍ୟା , ଡ୍ରେନେଜ ବ୍ୟବସ୍ଥା , ରାସ୍ତା ମରାମତି , ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ନାଗରିକ ସମସ୍ୟା ବିଷୟରେ ଲୋକେ ନିଜ ଅଭିଯୋଗ ଜଣାଇଥିଲେ। ସମସ୍ତ ସମସ୍ୟାକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ଓ ଆବଶ୍ୟକ ପଡ଼ିଲେ ଜିଲ୍ଲା ସ୍ତରର ଅଧିକାରୀମାନଙ୍କ ସହ ଆଲୋଚନା କରି ତାହାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ କହିଛନ୍ତି। ତାଙ୍କ ଏହି ଗସ୍ତ ଓ ତଦାରଖ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିକାଶ କାର୍ଯ୍ୟ ପ୍ରତି ନୂତନ ଆଶା ସୃଷ୍ଟି ହୋଇଛି।
ରାଜ୍ୟ
କାଶୀନଗରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ
- Hits: 70







