ହେଡଲାଇନସ୍:

ରାଜ୍ୟରେ ମହିଳା ସୁରକ୍ଷା ନେଇ ବିଜେଡିର ଚିନ୍ତା, ଆଇନ ଶୃଙ୍ଖଳା ଭାଙ୍ଗିପଡ଼ିଥିବା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ସହ ସମଗ୍ର ରାଜ୍ୟରେ ହତ୍ୟା, ଗୁଳିକାଣ୍ଡ ଓ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବଢ଼ିଚାଲିଛି। ବିଶେଷକରି ଗତ ମଇ ୧୭ ତାରିଖରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣା ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର "

ଝାରସୁଗୁଡା, ୨୧/୫: ଝାରସୁଗୁଡା ସହରର ସରବାହାଲସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନରେ ଏକ ପ୍ରେସମିଟ୍‌ ଅନୁଷ୍ଠିତ ହୋଇଥିଲା। ଏହି ପ୍ରେସମିଟ୍‌ରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସହ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଥିବା ଅଭିଯୋଗ କରିଥିଲେ।

ଦୀପାଳୀ ଦାସ କହିଥିଲେ ଯେ, ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ସହ ସମଗ୍ର ରାଜ୍ୟରେ ହତ୍ୟା, ଗୁଳିକାଣ୍ଡ ଓ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବଢ଼ିଚାଲିଛି। ବିଶେଷକରି ଗତ ମଇ ୧୭ ତାରିଖରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣା ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି ସେ ମତ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ, ଗତ କିଛି ଦିନ ମଧ୍ୟରେ ବେଲପାହାଡ, ଲଖନପୁର, ସରବାହାଲ ଆଦି ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣା ଲୋକମାନଙ୍କ ମନରେ ଭୟର ପରିବେଶ ସୃଷ୍ଟି କରିଛି। ବ୍ରହ୍ମପୁରରେ ଜଣେ ଯୁବକଙ୍କୁ ରାସ୍ତା ମଝିରେ ନିର୍ମମ ଭାବେ ମାଡ଼ ମାରାଯାଇଥିବା ଘଟଣା ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

ପ୍ରେସମିଟ୍‌ରେ ସେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଜିଲ୍ଲାରେ ଆଇନ ଶୃଙ୍ଖଳା ଭାଙ୍ଗିପଡ଼ିଥିବା ସତ୍ତ୍ୱେ ସେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଅନ୍ୟ କୌଣସି ବିଷୟ ହେଲେ ସେ ତୁରନ୍ତ ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଥାନ୍ତି ବୋଲି ସୁଶ୍ରୀ ଦାସ କହିଥିଲେ।

ଆସନ୍ତାକାଲି ଶୁକ୍ରବାର ଦିନ ଶତାଧିକ ମହିଳାଙ୍କୁ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟରେ ମହିଳା ସୁରକ୍ଷା ସୁନିଶ୍ଚିତ କରିବା ସହ ଆଇନ ଶୃଙ୍ଖଳା ସ୍ଥିତିକୁ ସୁଧାରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରାଯିବ ବୋଲି ସେ କହିଥିଲେ।

ଏହି ପ୍ରେସମିଟ୍‌ରେ ଝାରସୁଗୁଡା ବ୍ଲକ ଚେୟାରମ୍ୟାନ ଚିତ୍ରାଣୀ ପଟେଲ, ଜିଲ୍ଲା ପରିଷଦ ସଭ୍ୟା ଝରଣା ସାଗର ଓ ଟାଉନ ମହିଳା ବିଜେଡି ସଭାପତି ଜ୍ୟୋତି ସୁନାର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault