ହେଡଲାଇନସ୍:

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାତ୍ୟା, ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା

କଟକ ତା ୧୮.୦୫.୨୦୨୬ ରିଖ – ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି ।
ବୈଠକରେ ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଳା ପରିଷଦ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାସ, ଉପଜିଲ୍ଳାପାଳ ଆଠଗଡ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଳାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲ୍ଳାପାଳ ବାଙ୍କୀ ଶ୍ରୀମତୀ ମନସ୍ୱିନୀ ଦାସ, ଜିଲ୍ଳା ଜରୁରୀକାଳୀନ ଅଧିକାରୀ ପୁଷ୍ପଶ୍ରୀ ସାଣ୍ଡିଲ, ଜିଲ୍ଳାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସେବା ସହ ଜଡିତ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଳାପାଳ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି, ଆନ୍ତଃ ବିଭାଗୀୟ ସମନ୍ୱୟ ଏବଂ ଠିକ୍ ସମୟରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଳାର ସମସ୍ତ ନଦୀବନ୍ଧ ମରାମତି କରିବା, ନଦୀ ଓ କେନାଲ ବନ୍ଧର ଘାଇଗୁଡିକୁ ବନ୍ଦ କରିବା, ଦୁର୍ବଳ ସ୍ଥାନଗୁଡିକୁ ମରାମତି କରିବା, ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ସ୍ଥିତି ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ବନ୍ୟା ଜଳର ସୁଗମ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବାକୁ ବିଡିଓ ଓ କଟକ ମହାନଗର ନିଗମର ଅଧିକାରୀମାନଙ୍କୁ କୁହାଯାଇଛି । ଜିଲ୍ଳା ମୁଖ୍ୟ କାର୍ଯ୍ୟାଳୟ ସମେତ କଟକ ମହାନଗର ନିଗମ, ଉପଖଣ୍ଡ, ବ୍ଲକ ଏବଂ ତହସିଲ ସ୍ତରରେ ମାର୍ଚ୍ଚ ଏକ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨୪ ଘଂଟିଆ କଂଟ୍ରୋଲ ରୁମ କାର୍ଯ୍ୟ କରୁଛି ।
ବନ୍ୟା ତଥା ବାତ୍ୟାପ୍ରବଣ ଅଂଳଚରେ ପର୍ଯ୍ୟାପ୍ତ ପରିମାଣର ରିଲିଫ ଓ ଶୁଖିଲା ଖାଦ୍ୟ ମହଜୁଦ୍ ରଖିବା ଓ ରିଲିଫ ପହଂଚାଇବା ରାସ୍ତାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଜଳ ଉତ୍ସଗୁଡିକର ବିଶୋଧନ, ଜରୁରୀକାଳୀନ ଡାକ୍ତରୀ ସେବା, ବିଦ୍ୟୁତ ତାର ଓ ଖୁଂଟଗୁଡିକର ମରାମତି, କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଇବା, ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିବା ଓ ରୋଗ ପ୍ରତିରୋଧକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେହିପରି ତଳିଆ ଅଂଚଳରୁ ଳୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସ୍ଥାନନ୍ତରଣ ଓ ପରିବହନ ବ୍ୟବସ୍ଥା କରିବାକୁ ଜିଲ୍ଳା ପରିବହନ ଅଧିକାରୀଙ୍କୁ କୁହାଯାଇଛି । ଜରୁରୀ ସମୟରେ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

0
0
0
s2sdefault