ବଡ଼ବିଲ : କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ପୋଲିସ ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ଭାବେ ମଦ୍ୟପାନ କରିବା ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମୟରେ ପୋଲିସ ବଡ଼ବିଲ ଅଞ୍ଚଳର ବିଭିନ୍ନ ନିଛାଟିଆ ସ୍ଥାନରେ ମଦ ପିଉଥିବା ୧୨ ଜଣ ବ୍ୟକ୍ତିଙ୍କୁ କାବୁ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରିବା ଦ୍ୱାରା ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହେଉଛି। ଏହି କାରଣରୁ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ପ୍ରଥମ ଦିନର କାର୍ଯ୍ୟାନୁଷ୍ଠାନରେ ଧରାପଡ଼ିଥିବା ସମସ୍ତ ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦିଆଯିବା ପରେ ସେମାନଙ୍କ ପରିବାର ଲୋକଙ୍କ ଜିମାରେ ଛାଡ଼ି ଦିଆଯାଇଥିଲା। ଏହା ସହିତ ସେମାନଙ୍କୁ ଉପଯୁକ୍ତ କାଉନସେଲିଂ ମଧ୍ୟ କରାଯାଇଛି, ଯେପରି ଭବିଷ୍ୟତରେ ସେମାନେ ଏଭଳି କାର୍ଯ୍ୟକଳାପରୁ ଦୂରେଇ ରହିବେ। ପୋଲିସର ସଂକଳ୍ପ ହେଉଛି ଜନସୁରକ୍ଷା, ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା, ଆଗାମୀ ଦିନରେ ମଧ୍ୟ ଏହିଭଳି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିବ ଯେପରି ନାଗରିକମାନଙ୍କୁ ଏକ ସୁରକ୍ଷିତ ଏବଂ ଶୃଙ୍ଖଳିତ ପରିବେଶ ମିଳିପାରିବ ବୋଲି ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।
ରାଜ୍ୟ
ବଡ଼ବିଲ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ : ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ମଦ ଆଡ୍ଡା ଉପରେ ଚଢ଼ାଉ
- Hits: 183







