ହେଡଲାଇନସ୍:

କଦଳୀବନ୍ଧ ହତ୍ୟାକାଣ୍ଡ: ପଥର ଖଣି ବିବାଦରୁ ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୧୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଅଞ୍ଚଳରେ ଅବୈଧ ପଥର ଖଣି ଓ ପରିବହନକୁ କେନ୍ଦ୍ର କରି ଘଟିଥିବା ଏକ ରକ୍ତାକ୍ତ ଘଟଣାରେ ଅଜିତ କୁମାର ସାହୁ (୩୮) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୨ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଓଡଗାଁ ଥାନାରେ କେସ୍ ନଂ-୧୨୩, ତାରିଖ ୧୧.୦୫.୨୦୨୬, ଧାରା ୧୦୩(୧)/୩(୫) ବିଏନଏସ୍ ଅନୁଯାୟୀ ମାମଲା ରୁଜୁ ହୋଇଛି। ମୃତକଙ୍କ ପିତା ସଦାଶିବ ସାହୁଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୋଲିସ ସୂଚନାନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧୨.୫୦ ସମୟରେ ମୃତକ ଅଜିତ ସାହୁ ଓ ତାଙ୍କ ସହଯୋଗୀ ସନ୍ତୋଷ କୁମାର ପ୍ରଧାନ କଦଳୀବନ୍ଧ ଅଞ୍ଚଳରେ ମାଙ୍କଡ଼ା ପଥର ବୋଝେଇ ଯାଉଥିବା ଦୁଇଟି ୪୦୭ ଟ୍ରକକୁ ଅଟକାଇଥିଲେ। ଏହାକୁ ନେଇ ଟ୍ରକ ମାଲିକ ଦୀପୁ ଓରଫ ପୂର୍ଣ୍ଣଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅନ୍ୟ ଅଭିଯୁକ୍ତମାନେ ଏକ ବୋଲେରୋ ଓ ମୋଟର ସାଇକେଲରେ ଆସି ଉଭୟ ପକ୍ଷ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବୋଲେରୋରୁ ଖଣ୍ଡା ବାହାର କରିଥିବା ବେଳେ ଅନ୍ୟ ଜଣେ ଅଜିତଙ୍କୁ ଧରି ରଖିଥିଲେ। ଏହାପରେ ଏକାଧିକ ଅଭିଯୁକ୍ତ ମିଳିତ ଭାବେ ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଘଟଣାରେ ଅଜିତଙ୍କ ଡାହାଣ ହାତ କଟିଯାଇଥିବା ସହ ଶରୀରରେ ଗଭୀର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ସହ ଦୋଷୀଙ୍କ ଗିରଫ ଓ ଅବୈଧ ପଥର ଖଣି ବନ୍ଦ ଦାବି କରିଥିଲେ।
ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ତଦନ୍ତ କରିଥିବା ବେଳେ ମୃତଦେହକୁ ଜବତ କରି ମୃତଦେହ ବୈଜ୍ଞାନିକ ପରୀକ୍ଷା ପାଇଁ ପଠାଯାଇଛି। ଆଇଜିପି ସେଣ୍ଟ୍ରାଲ ରେଞ୍ଜ ଓ ନୟାଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଏକାଧିକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିବା ବେଳେ ୨ ଜଣଙ୍କୁ ପଚରାଉଚରା ଚାଲିଛି। ସେହିପରି ଅବୈଧ ପଥର ଖଣି ଓ ପରିବହନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଖଣି ଅଧିକାରୀ ଓ ରାଜସ୍ୱ ବିଭାଗ ସହ ସମନ୍ୱୟରେ ବିଶେଷ ଅଭିଯାନ ଚାଲିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault