୧୩ରୁ ଓଡିଶା ମେଟାଲିକ୍ସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ଧାରଣା ଚେତାବନୀ
ଝାରସୁଗୁଡା, ୧୧/୫: ଝାରସୁଗୁଡା ସଦର ବ୍ଲକ ମରାକୁଟା ପଞ୍ଚାୟତ ଅନ୍ତର୍ଗତ ବୁଢୀପଦାର ଠାରେ ଅବସ୍ଥିତ ଓଡିଶା ମେଟାଲିକ୍ସ କମ୍ପାନୀରେ ପୁରୁଣା କର୍ମଚାରୀଙ୍କ ପୁନଃନିଯୁକ୍ତି ପ୍ରସଙ୍ଗ ପୁଣିଥରେ ତୀବ୍ର ଆକାର ଧାରଣ କରିଛି। ଦାବି ପୂରଣ ନ ହେଲେ ଆସନ୍ତା ୧୩ ତାରିଖରୁ କମ୍ପାନୀ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ କରାଯିବ ବୋଲି ପୂର୍ବତନ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଝାରସୁଗୁଡା ପାହାଡି ମନ୍ଦିର ପରିସରରେ ଆୟୋଜିତ ପ୍ରେସମିଟରେ ସୂଚନା ଦିଆଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ମରାକୁଟା ସ୍ଥିତ ଏମଏସପି କମ୍ପାନୀ ୨୦୧୬ ମସିହାରେ ବନ୍ଦ ହୋଇଥିଲା। ପରେ ୨୦୨୧ରେ ଏହା ଓଡିଶା ମେଟାଲିକ୍ସ ନାମରେ ପୁନଃଚାଲୁ ହୋଇଥିଲେ ମଧ୍ୟ ପୂର୍ବରୁ କାର୍ଯ୍ୟରତ ଅନେକ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ପୁନଃନିଯୁକ୍ତି ମିଳିନାହିଁ। ଏନେଇ ପୂର୍ବତନ କର୍ମଚାରୀମାନେ ବର୍ଷର ପର ବର୍ଷ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ଶ୍ରମ ଆୟୁକ୍ତ, ଶ୍ରମମନ୍ତ୍ରୀ, ବିଧାୟକ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରାଯାଇଛି।
କର୍ମଚାରୀ ସଂଘର କହିବା ଅନୁଯାୟୀ, ଏହି ପରିସ୍ଥିତି ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ପ୍ରତି ଗଭୀର ଅନ୍ୟାୟ ସୃଷ୍ଟି କରିଛି। ଫଳରେ ସ୍ଥାନୀୟ ଲୋକ ଓ ପ୍ରଭାବିତ ପୂର୍ବତନ କର୍ମଚାରୀମାନେ ଆନ୍ଦୋଳନର ପଥ ବାଛିବାକୁ ବାଧ୍ୟ ହୋଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ କର୍ମଚାରୀଙ୍କ ପାଇଁ ବର୍ତ୍ତମାନ “କର ବା ମର” ପରିସ୍ଥିତି ସୃଷ୍ଟି ହୋଇଛି।
ସଂଘର ମୁଖ୍ୟ ଦାବିଗୁଡିକ ମଧ୍ୟରେ ପୁରୁଣା କର୍ମଚାରୀଙ୍କୁ ପେରୋଲ ଆଧାରରେ ପୁନଃନିଯୁକ୍ତି, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ପ୍ରାଥମିକତା, ବର୍ତ୍ତମାନ କାର୍ଯ୍ୟରତ ପୁରୁଣା ଶ୍ରମିକମାନଙ୍କୁ ଠିକା ସଂସ୍ଥାରୁ ହଟାଇ ପେରୋଲରେ ସାମିଲ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବା ଆଦି ରହିଛି।
ଦାବି ପୂରଣ ନ ହେଲେ ଓଡିଶା ମେଟାଲିକ୍ସ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି ପ୍ରେସମିଟରେ ଦେବାନନ୍ଦ ବାରିକ, ଦାଉଦ ନାୟକ, ଆଶିଷ ବଡପଣ୍ଡା, ଲଳିତ ତନ୍ତି, ଜିତେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ







