ହେଡଲାଇନସ୍:

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଡିଏଲପିସି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,୦୬/୦୫(ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ମେ ମାସ ୨୨ ତାରିଖରୁ ରବି ଧାନ କ୍ରୟ ଆରମ୍ଭ ହେବ। ଏହି ପରିପେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି) ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀଙ୍କ ସ୍ୱାର୍ଥରକ୍ଷା ଏବଂ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ସହ ଗତ ବର୍ଷ ଧାନ କ୍ରୟ ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସେଗୁଡିକର ସମାଧାନ କିପରି କରାଯିବ, ସେନେଇ ଆଲୋଚନା ହୋଇଥିଲା।ସୂଚନା ଅନୁଯାୟୀ, ଜିଲ୍ଲା ସ୍ତରୀୟ କ୍ରୟ ସମିତି ଦ୍ୱାରା ଆସନ୍ତା ୨୨ ମଇରୁ ରବି ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ କେଏମଏସ ୨୦୨୫-୨୬ ବର୍ଷ ପାଇଁ ସାଧାରଣ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୩୬୯ ଟଙ୍କା ଏବଂ ‘ଗ୍ରେଡ୍-ଏ’ ଧାନ ପାଇଁ ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି। ରବି ୨୦୨୫-୨୬ ପାଇଁ ମୋଟ ୪୨୭୦୨ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।ଏବର୍ଷ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ୬୬ଟି ପ୍ୟାକ୍ସ (ପିଏସିଏସ୍) ଅଂଶଗ୍ରହଣ କରିବେ। ୧୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସଏଚଜି) ସାମିଲ ହେବେ। ଚଳିତ ଋତୁରେ ୫୫ ଜଣ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ। ପି-ପାସ୍ (ଅନଲାଇନ୍ ମୋଡ୍‌ରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯିବ। ଏଥିପାଇଁ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସଏମଏସ୍ ପଠାଯିବ। ଆଇରିସ୍ ସ୍କାନର ଦ୍ୱାରା ଆଧାର ପ୍ରମାଣିକରଣ ନିଶ୍ଚିତ କରି ଧାନ କ୍ରୟ କରାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନଲାଇନ୍ ମୋଡ୍‌ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ଏମଏସପି) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ପଠାଯିବ। ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆର୍ଦ୍ରତା ମିଟର, ୱେ ବ୍ରିଜ୍, ବିଶ୍ଳେଷଣ କିଟ୍, ପଲିଥିନ୍ ତରପୋଲିନ୍ ଆଦି ଯୋଗାଇବା ସହ ପ୍ରତୀକ୍ଷା କକ୍ଷ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ଶୌଚାଳୟ, ସିସିଟିଭି ଆଦିର ବ୍ୟବସ୍ଥା କରାଯିବ।ଏହିପରି ଆଗାମୀ ଦିନରେ ରବି ଋତୁରେ ସୁଚାରୁ ଭାବରେ ଧାନ ସଂଗ୍ରହ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ। ଧାନ ସଂରକ୍ଷଣ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ଥାନ କରିବା ର ଆବଶ୍ୟକତା ଉପରେ ଜୋର ଦିଆଯାଇଛି। ଗୋଦାମ ଘରର ଅଭାବ ନେଇ କୌଣସି ଅଭିଯୋଗ ନ ଆସିବା, ପ୍ରକୃତ ଚାଷୀମାନେ ଧାନ ବିକ୍ରିରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମଣ୍ଡିରେ ଆବଶ୍ୟକ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। କାଳବୈଶାଖୀର ସମ୍ଭାବନା ଥିବାରୁ ମଣ୍ଡିକୁ ଆସୁଥିବା ଧାନ ଯେପରି ନଷ୍ଟ ନହୁଏ, ସେଥିପାଇଁ ଆରଏମସି କର୍ମଚାରୀ ଓ ଚାଷୀମାନଙ୍କୁ ସତର୍କ ରହିବାକୁ କହିଥିଲେ। ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ପାଇଁ ସାଟେଲାଇଟ୍ ସର୍ଭେର ସହାୟତା ନିଆଯାଇଛି। ଯେଉଁ ସ୍ଥାନରେ ଧାନ ଚାଷ ହୋଇନଥିଲେ ମଧ୍ୟ ମିଥ୍ୟା ପଞ୍ଜୀକରଣ କରାଯାଇଥିଲା, ସେହିପରି ପ୍ଲଟ୍‌ଗୁଡିକୁ ଚିହ୍ନଟ କରି ବାତିଲ କରାଯାଇଥିବା ବିଷୟ ବୈଠକରେ ସୂଚନା ଦିଆଯାଇଛି ।
ଏହି ବୈଠକରେ ମାନ୍ୟବର ବିଧାୟକ, ବୀରମହାରାଜପୁର ଇଂ ରଘୁନାଥ ଜଗଦଲା, ମାନ୍ୟବର ସଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ଦାସ, ମାନ୍ୟବର ବିଧାୟକ, ସୋନପୁରଙ୍କ ପ୍ରତିନିଧି ମଧୁସୁଦନ ଓତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କାଳିଆ ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା ଏବଂ ମିଲର୍ସ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault