ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପ୍ରଶାସନିକ ଉଦାସୀନତାର ନଗ୍ନ ଚିତ୍ର !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଆଦୀମ ଜନଜାତି ଜୁଆଙ୍ଗ ବର୍ଗଙ୍କ ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ମୁଖ୍ୟସଚିବଙ୍କ ନିକଟକୁ ପତ୍ର ଲେଖିଲେ ସମାଜସେବୀ


କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଂଶପାଳ ବ୍ଳକ୍ ଅଧିନ କୋଡିପଶା ପଞ୍ଚାୟତର କୁଣ୍ଢେଇ / ଘୁଙ୍ଗି ଗାଁର ଆଦୀମ ଜନଜାତି ଜୁଆଙ୍ଗ ବର୍ଗର ଲୋକଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅହେତୁକ , ଅମାନବୀୟ ଅବହେଳା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆବଶ୍ୟକ ନିଘା ଦେଇନାହିଁ | ଖୋଦ ଲୋକଙ୍କ ସରକାରର ଲୋକଙ୍କ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା ବେଳେ ଏହି ନିରୀହ ଆଦିବାସୀଙ୍କ ଜୀବନ ଯନ୍ତ୍ରଣାସିକ୍ତ ହୋଇଥିବା ବେଳେ ପ୍ରଶାସନର ଏପରି କଠୋର ହୃଦୟ ସେମାନଙ୍କ ଜୀବନକୁ ଅତ୍ୟନ୍ତ ଦୁର୍ବିସହ କରିଦେଇଛି | ତେଣୁ ନିରୁପାୟ ହୋଇ ସ୍ଥାନୀୟ ସମାଜସେବୀ ଡମ୍ବରୁଧର ଘଣା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଇମେଲ ମାଧ୍ୟମରେ ପତ୍ର ପ୍ରେରଣ କରି ସବିଶେଷ ତଥ୍ୟର ଅବତାରଣା କରିଛନ୍ତି | ଶ୍ରୀ ଘଣା ତାଙ୍କ ପତ୍ରରେ ଯାହା ଉଲ୍ଲେଖ କରିଛନ୍ତି ତାହା ନିମ୍ନ ମତେ

 

ପ୍ରାପ୍ତେଷୁ,

ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର,
ଲୋକସେବା ଭବନ, ଭୁବନେଶ୍ୱର।‌

ବିଷୟ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଂଶପାଳ ବ୍ଳକ୍ ଅଧିନ କୋଡିପଶା ପଞ୍ଚାୟତର କୁଣ୍ଢେଇ / ଘୁଙ୍ଗି ଗାଁର ଆଦୀମ ଜନଜାତି ଜୁଆଙ୍ଗ ବର୍ଗର ଲୋକଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅହେତୁକ , ଅମାନବୀୟ ଅବହେଳା --- ସମ୍ପର୍କରେ

ମହାଶୟା,
ସମସ୍ତ ସମ୍ମାନ ଏବଂ ଗଭୀର ଦୁଃଖର ସହିତ ଆମେ ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ:

ଆପଣ ଦେଖିଲେ, ଏବେ କ'ଣ ହେଲା। କେନ୍ଦୁଝରର ଜିତୁ ମୁଣ୍ଡା ର କଥା। ସେ ମାଗୁଥିଲା ତା' ଭଉଣୀ ନାଁରେ ଗଛିତ ଟଙ୍କାକୁ। ଆଇନ୍ ର ଖେଳ ଖେଳା ଗଲା।‌ ବାରମ୍ବାର ହଇରାଣ କରାଗଲା। ଶେଷରେ ଯାହା ହେଲା, ତାକୁ ଦୋହରାଇବା ଦରକାର ନାହିଁ। ପ୍ରଶାସନ ବଦନାମ ହେଲା। ଓଡ଼ିଶା ନିନ୍ଦିତ ହେଲା। ଶେଷରେ ଜିତୁକୁ ଟଙ୍କା ଦିଆଗଲା। କେମିତି ବି ଦିଆଗଲା, ତାହା ବି ଏଠାରେ ଉଲ୍ଲେଖ କରିବା ଅନାବଶ୍ୟକ।

ଏହା ହେବାର ଥିଲା। ହେଲା। ବହୁ ଆଗରୁ ହେବାର ଥିଲା। ବିଳମ୍ବ ହୋଇଗଲା।‌ ଏମିତି ଆହୁରି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି। ସମସ୍ୟା ଅଛି। ଯନ୍ତ୍ରଣା ରହିଛି। ଅସନ୍ତୋଷ ବି ବଢୁଛି । ଏ ଯନ୍ତ୍ରଣା, ଅସନ୍ତୋଷ ଠୁଳ ହେଉଛି। ବାଟ ଖୋଜୁଛି ବାହାରିବାକୁ। ଗରିବୀ, ନିରକ୍ଷରତା, ଅସଚେତନତା ତା'ର ବାଟ ଓଗାଳୁଛନ୍ତି। ଆଜି ନ ହେଲେ ବି, କାଲି ସମୟ ଆସିବ। କେତେ କେତେ ଜିତୁ ମୁଣ୍ଡା ମୁଣ୍ଡ ଟେକିବେ। ପ୍ରଶାସନକୁ ପ୍ରଶ୍ନ କରିବେ। ବାବୁ ଗିରି ଜିତୁ ମୁଣ୍ଡା ମାନଙ୍କୁ ଦମନ କରିଦେଇ ପାରେ। କିନ୍ତୁ, ଓଡ଼ିଶାକୁ ନିନ୍ଦିତ ହେବାରୁ ବଞ୍ଚାଇ ପାରିବ ତ?

ସରକାର ନିଜେ ଦେଖିଲେ ନାହିଁ। ଗରିବ , ଦିନ ମଜୁରିଆ, ଆଦିବାସୀ ଜୁଆଙ୍ଗ ଜନଜାତିର ଲୋକଙ୍କ କରୁଣ କାହାଣୀ ତାଙ୍କ କାନରେ ପଡିଲା ନାହିଁ। ଝାଟିମାଟି ଘରର ଭଙ୍ଗା ଦଦରା ଛପର କାହାରି ଦୃଷ୍ଟିକୁ ଆସିଲା ନାହିଁ। ଅଧା ଭଙ୍ଗା ଦଦରା ଘରର ମରାମତି ଆବଶ୍ୟକ, ଏ କଥା ବ୍ଲକ୍ କତୃପକ୍ଷ ବୁଝି ପାରିଲେ ନାହିଁ। ବାପ, ମା' ଛେଉଣ୍ଡ ଚାରି ଚାରିଟା ନାଁ ବାଳକ ପିଲାଙ୍କୁ ସହାୟତା ଦରକାର, ଏହା ଜିଲ୍ଲା ପ୍ରଶାସନର ହୃଦୟକୁ ଛୁଇଁ ପାରିଲା ନାହିଁ। ଦୀର୍ଘ ବର୍ଷ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ଭିନ୍ନକ୍ଷମ ପିଲାଙ୍କ ଚିକିତ୍ସା ନିତାନ୍ତ ଦରକାର, ଏହା ସେମାନେ ଦେଖି ପାରିଲେ ନାହିଁ।‌ କେତେକ ସ୍ଵଛଳ ବର୍ଗର ଲୋକଙ୍କୁ ଘର ମିଳୁଥିବା ବେଳେ, ଅନେକ ଗରିବ, ଖଟିଖିଆ ଆଦିବାସୀଙ୍କୁ ଘର ଦେବାକୁ ଜିଲ୍ଲା ପ୍ରଶାସନ ଉଚିତ୍ ମଣିଲା ନାହିଁ।‌

ଆମେ ଗତ ଅଗଷ୍ଟ ମାସରୁ ଏ କଥା ଜଣାଇଛୁ। ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ଓଡ଼ିଶାର ରାଜ୍ୟପାଳ, ଲୋକଙ୍କ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, କେନ୍ଦୁଝର ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟକୁ ପତ୍ର ଲେଖିଲୁ। ସମସ୍ତେ ପତ୍ର ପାଇଲେ। ହେଲେ, ଦୁଃଖର କଥା, କେହି ଆଜି ପର୍ଯ୍ୟନ୍ତ କିଛିବି କଲେ ନାହିଁ। ପୁଣି ଆପଣଙ୍କ ସମ୍ମୁଖରେ ରଖୁଛୁ:

(୧) କୋଡିପଶା ପଞ୍ଚାୟତ ର କୁଣ୍ଢେଇ ଗାଁ। ଏଇଠି ଗରିବ ଆଦିବାସୀ ପଞ୍ଚୁ ଜୁଆଙ୍ଗର ଘର। ପଞ୍ଚୁ ଦାଦନ ଖଟିବାକୁ ବାହାରକୁ ଯାଏ। ତା' ସ୍ତ୍ରୀ ପର ଘରେ ମଜୁରୀ କରି ପିଲାଙ୍କୁ ପାଳେ। ନିଜର ସମ୍ବଳ ନାହିଁ ଘର ମରାମତି କରିବା ପାଇଁ। ଭଙ୍ଗା ଦଦରା ଘରେ ରୁହନ୍ତି । ଆମେ ଦାବି ରଖିଲୁ - ତୁରନ୍ତ ପଞ୍ଚୁର ଘର ମରାମତି କରାଯାଉ। ତାକୁ ଏକ ପକ୍କା ଘର ଯୋଗାଇ ଦିଆଯାଉ। କିନ୍ତୁ, ଦୁଃଖର କଥା। ଇତିମଧ୍ୟରେ ଆଠ ମାସ ବିତିଯାଇଥିଲେ ମଧ୍ୟ, ସରକାର ପଞ୍ଚୁର କୈ।ଣସି ଦାବି ପୂରଣ କରି ନାହାନ୍ତି। ଆମ ଦୃଷ୍ଟିକୁ ଯାହା ଆସିଛି - ଗୋଟିଏ ପକ୍କା ଘର ମଞ୍ଜୁର କରାଯାଇଛି। ଏ ନୂଆ ଘର ନିଅଁରେ ଅଟକି ଯାଇଛି। ଏକ ଫଟୋ ମଧ୍ୟ ଏଥିସହିତ ସଂଯୋଗ କରୁଛୁ। ଦେଖନ୍ତୁ, କି ଅବସ୍ଥା !

(୨) ସେହି ଗାଁରେ ଏମିତି ଅନେକ ଗରିବ ଆଦିବାସୀ ଅଛନ୍ତି। ଅନେକଙ୍କୁ ଘର ମିଳି ନାହିଁ। ଆମେ ଲେଖିଛୁ, ଦାବି କରିଛୁ। କିଛି ଲାଭ ନାହିଁ।

( ୩) ଘୁଙ୍ଗି ଗାଁରେ ସୁରେନ୍ ଜୁଆଙ୍ଗର ଘର। ତା ଭଙ୍ଗା ଦଦରା ଘର ଦେଖିଲେ, କୈ।ଣସି ସଭ୍ୟ ମଣିଷ ବିଶ୍ଵାସ ବି କରି ପାରିବ ନାହିଁ ଯେ ଏବେବି ଲୋକ ଏମିତି ଘରେ ରହୁଛନ୍ତି। ଏକ ଫଟୋ ସଂଯୋଗ କରୁଛୁ। ଦେଖିବେ ଦୟାକରି। ଆମେ ଦାବି ରଖିଲୁ - ଘରଟି ମରାମତି କରାଯାଉ। ତାକୁ ଏକ ନୂଆ ପକ୍କା ଘର ଯୋଗାଇ ଦିଆଯାଉ। କେହି ଶୁଣିଲେ ନାହିଁ। ଏବେବି ସେ ଘର ସେମିତି ଅଛି।

(୪) ଘୁଙ୍ଗି ଗାଁରେ ନଟ ଜୁଆଙ୍ଗର ଘର। ଚାରି ଝିଅ। ସମସ୍ତେ ଭିନ୍ନକ୍ଷମ। ଠିଆ ହୋଇ ପାରନ୍ତି ନାହିଁ। ଚାଲି ପାରନ୍ତି ନାହିଁ। ଦୁଇ ଜଣ ଭତ୍ତା ପାଉଥିଲେ। ଅନ୍ୟ ଦୁଇଜଣଙ୍କୁ ଅଣଦେଖା କରାଯାଇଥିଲା।
ଆମେ ପୋଷାକ, ଖାଦ୍ୟ ସାମଗ୍ରୀ, ଜୋତା, ବିଛଣା ସାମଗ୍ରୀ ଯୋଗାଇ ଦେଲୁ। ତାଙ୍କୁ ଭତ୍ତା, ଘର, ଚିକିତ୍ସା ଯୋଗାଇ ଦେବାକୁ ଲେଖିଲୁ। ଭତ୍ତା ମିଳିଲା। ଘର ମିଳି ନାହିଁ। ଚିକିତ୍ସା କଥା କେହି ବିଚାର କଲେ ନାହିଁ। ପ୍ରଶାସନ ଏତେ ଅମାନବୀୟ ହୋଇପାରେ, ଏମାନଙ୍କୁ ଦେଖିଲେ ଜାଣି ହେବ।

(୫) ସେହି ଗାଁରେ ଈଶ୍ୱର ଜୁଆଙ୍ଗର ଘର। ଈଶ୍ୱର ଓ ତା' ସ୍ତ୍ରୀ ଆର ପାରିକି ଚାଲିଗଲେ। ଘରେ ଚାରୋଟି ନାଁ ବାଳକ ପିଲା। ଜମି ନାହିଁ। ଚାଷ ନାହିଁ। କିଛି ବୋଲି ରୋଜଗାର ନାହିଁ। କେବଳ କିଛି ସରକାରୀ ଚାଉଳ। ତାହା ପୁଣି ପୁରା ମାସକୁ ନିଅଣ୍ଟ।

‌ଆମେ ଲେଖିଲୁ ସହାୟତା ପାଇଁ। କେହି ଅନାଇ ଗଲେ ନାହିଁ। ଏବେବି ସେମାନେ ସେମିତି ଅଛନ୍ତି। ଆମେ ପ୍ରତି ମାସ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛୁ । ପଡିଶା ଘର ଭରସାରେ ଅଛନ୍ତି ପିଲେ। କ'ଣ ଅନାଥ ପିଲାଙ୍କ ପାଇଁ ବି ପ୍ରଶାସନର ଦରଦ ନାହିଁ ? କ'ଣ କିଛି ବ୍ୟବସ୍ଥା ନାହିଁ?

(୬) ଆମେ ଲେଖିଛୁ - ରାବଣ ଜୁଆଙ୍ଗ ର ଭିନ୍ନକ୍ଷମ ପିଲାର ଚିକିତ୍ସା ପାଇଁ। ଭୀମ ଜୁଆଙ୍ଗ ର ଭିନ୍ନକ୍ଷମ ପୁଅର ଚିକିତ୍ସା ସକାଶେ। ଶତୃଘ୍ନ ଜୁଆଙ୍ଗ ର ଛୋଟ ପୁଅକୁ ଚିକିତ୍ସା ଯୋଗାଇ ଦେବାକୁ। ଏଥିରେ ମଧ୍ୟ ଅହେତୁକ ଅବହେଳା ଦେଖାଇଛି ପ୍ରଶାସନ। ନିଜେ ତ ଦେଖିଲେ ନାହିଁ। ଲେଖିଲେ ମଧ୍ୟ ଶୁଣିବାକୁ ନାହିଁ। କାହିଁକି, ତାଙ୍କୁ ହିଁ ଜଣା।

(୭) ଆଉ ଏକ ଦୁଃଖଦ ଘଟଣା। ଶିକ୍ଷିତ ଆଦିବାସୀ ଯୁବକ ରମେଶ। ରେଳ ଦୁର୍ଘଟଣାରେ ଗୋଡ ହରାଇଲା। ରୋଜଗାର କରିବା ବୟସରେ ଘରେ ବସି ରହିଲା। ବାପ, ମା' ଙ୍କୁ ପୋଷିବ କ'ଣ, ତାଙ୍କ ଉପରେ ବୋଝ ବନିଗଲା।
ତାକୁ ଭତ୍ତା ଦେବାକୁ ଲେଖିଲୁ। ଘରଟିଏ ଯୋଗାଇ ଦେବାକୁ ଦାବି ରଖିଲୁ। ଚିକିତ୍ସା ଯୋଗାଇ ଦେଇ ତାକୁ ଚାଲିବା ଯୋଗ୍ୟ କରିବାକୁ କହିଲୁ। କେହି କିଛି ଶୁଣିଲେ ନାହିଁ। ଏ ଅତି ଦୁଃଖର କଥା!

ଏ' ଗାଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ।‌ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହୁଛନ୍ତି - ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏ ସରକାର ଲୋକଙ୍କ ସରକାର। ତାଙ୍କ ପ୍ରଶାସନ କ୍ରୀୟାଶୀଳ। ଯୋଜନା ଲୋକାଭିମୁଖୀ। ବଢିଆ ବଢିଆ ଶବ୍ଦ। ଶ୍ରୁତି ମଧୁର। ଏ ନୂଆ ନୂଆ ଶବ୍ଦ ସିନା ଯୋଡି ହୋଇଯାଇଛି, ହେଲେ, ସରକାରଙ୍କ ଦୃଷ୍ଟିକୋଣ କ'ଣ କିଛି ବଦଳିଛି? ସରକାରଙ୍କ ବିକଳାଙ୍ଗ ମାନସୀକତା ଏବେବି ରହିଛି ବୋଲି ଆମର ଅନୁଭବ ହେଉଛି । ଏ ଗରିବ , ଦିନ ମଜୁରିଆ ଆଦିବାସୀଙ୍କ ପ୍ରତି ପ୍ରଶାସନର ଏପରି ଉଦାସୀନତା ଦେଖିଲେ , ଏସବୁ ଶବ୍ଦଯେ କିଛି ଅର୍ଥ ରଖୁଛନ୍ତି, ବୁଝିବା କଷ୍ଟ ହେଉଛି। ସରକାର ଯେ ଅଛି, ତାହା ପୁଣି ଲୋକଙ୍କ ପାଇଁ, ତାହା ବି ବୁଝିବା ସହଜ ହେଉ ନାହିଁ।

ଏସବୁ ଆପଣଙ୍କ ଅବଗତି ଓ ବିହିତ ପଦକ୍ଷେପ ପାଇଁ ଏଠାରେ ରଖୁଛୁ। ଇତି,


ଆପଣଙ୍କର ବିଶ୍ୱସ୍ତ,

ଡମ୍ବରୁଧର ଘଣା,
୭୯୭୮୨୧୦୮୨୧

0
0
0
s2sdefault