ଓଡ଼ଗାଁ, ୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଗୁରୁବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ବ୍ଲକ ବିକାଶ ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟଗତ ପ୍ରଗତିର ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡ଼େଶ୍ୱର ଦାସ, ଜିଲ୍ଲା ଜୀବିକା ମିଶନ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱଜିତ ଦାସ, ଗ୍ରାମ୍ୟ ଗୃହନିର୍ମାଣ ବିଭାଗର ଜିଲ୍ଲା ଅଧିକାରୀ ମହେଶ୍ୱର ରଥ ଓ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମୟଙ୍କ ନନ୍ଦ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ଘର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପରି, କେନ୍ଦ୍ରୀୟ ପଞ୍ଚଦଶତମ ଆର୍ଥିକ ଆୟୋଗ ଓ ରାଜ୍ୟର ପଞ୍ଚମ ଆର୍ଥିକ ଆୟୋଗର ବକେୟା ଅନୁଦାନ ଶୀଘ୍ର ବ୍ୟୟ କରିବାକୁ ଜୋର ଦିଆଯାଇଥିଲା। ଅନ୍ୟଥା ଆଗାମୀ ଅନୁଦାନ ପ୍ରାପ୍ତିରେ ବାଧା ସୃଷ୍ଟି ହେବାର ସଚେତନତା କରାଯାଇଥିଲା। ଏହା ସହିତ “ବିକଶିତ ଗାଁ, ବିକଶିତ ଭାରତ” ପ୍ରକଳ୍ପ, ବନ ସୁରକ୍ଷା ସମିତି ଗୃହ ନିର୍ମାଣ, ମନରେଗା ଯୋଜନା ଅନ୍ତର୍ଗତ ବିଭିନ୍ନ କାମକୁ ନିର୍ଦ୍ଧାରିତ ସମୟ ସୀମାରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସମଗ୍ର ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ, ପିଏମ୍-ଶ୍ରୀ ଯୋଜନା, ପାନୀୟ ଜଳ ଓ ପରିମଳ କାର୍ଯ୍ୟକ୍ରମର ପ୍ରଗତିକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଗ୍ରାମପଞ୍ଚାୟତ ପରିଚାଳନାରେ ସୁଧାର ଆଣିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ସମସ୍ତ ବିଭାଗକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ
ଓଡ଼ଗାଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ: ବକେୟା ଅନୁଦାନ ରାଶି ଶୀଘ୍ର ବ୍ୟୟ ଉପରେ ଜୋର,
- Hits: 14








