ହେଡଲାଇନସ୍:

ବିଷ ମିଶା ପାଣିରେ ୧୧ରୁ ଅଧିକ ଛେଳି ମୃତ୍ୟୁ, ପିକଅପ୍‌ରେ ମୃତଦେହ ନେଇ ଥାନାରେ ଅଭିଯୋଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୩୦,୦୪,୨୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସଦର ଥାନା ଅଧୀନସ୍ଥ ଡେରାବିଶ ବରାଙ୍ଗ ଗ୍ରାମରେ ଏକ ଚମତ୍କାରଜନକ ଘଟଣା ସାମ୍ନାକୁ ଆସିଛି। ଫସଲ ରକ୍ଷା କରିବା ନାମରେ ବିଷ ମିଶା ପାଣି ପିଆଇ ୧୧ରୁ ଅଧିକ ଛେଳିକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମହିଳା ମାନେ ମୃତ ଛେଳିଗୁଡ଼ିକୁ ପିକଅପ୍‌ ଗାଡ଼ିରେ ଆଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ବରାଙ୍ଗ ଗ୍ରାମର କିଛି ମହିଳା ମଣ୍ଡଳ ମାଧ୍ୟମରେ ଋଣ ନେଇ ଛେଳି ଚାଷ କରି ପରିବାର ଚଳାଇ ଆସୁଥିଲେ। ଗ୍ରୀଷ୍ମ ପ୍ରବାହ ଦାଉରୁ ଗ୍ରାମ ନିକଟରେ ଥିବା କେନାଲରେ ପାଣି ପିବା ପାଇଁ ଛେଳିଗୁଡ଼ିକ ଯାଉଥିଲେ। କିନ୍ତୁ ସେହି କେନାଲ ପାଖରେ ବରାଙ୍ଗ ଗ୍ରାମର ବାବାଜି ଯେନାଙ୍କ ଭେଣ୍ଡି ବିଲ ଥିବାରୁ ଫସଲ ନଷ୍ଟ ହେଉଥିବା ଅଭିଯୋଗରେ ସେ ବିଷ ମିଶାଇଥିବା ପାଣି ଓ ମୁଢ଼ି ରଖିଥିବା କୁହାଯାଉଛି। ଏହି ବିଷ ମିଶା ପାଣି ଓ ମୁଢ଼ି ଖାଇବା ପରେ ଛେଳିଗୁଡ଼ିକ ଏକ ପରେ ଏକ ମୃତ୍ୟୁ ବରଣ କରିଥିଲେ। ଏଥିରେ ୧୧ରୁ ଅଧିକ ଛେଳି ମରି ଯାଇଥିବା ଜଣାପଡ଼ିଛି। ଏହା ଫଳରେ ଛେଳି ଚାଷ କରୁଥିବା ମହିଳାମାନେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଋଣରେ ଛେଳି କିଣିଥିବାରୁ ସେହି ଟଙ୍କା କିପରି ଫେରସ୍ତ ଦେବେ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି।
ଘଟଣା ପରେ ପୀଡ଼ିତ ମହିଳାମାନେ ଓ ଗ୍ରାମବାସୀ ମିଶି ମୃତ ଛେଳି ଗୁଡ଼ିକୁ ପ୍ରମାଣ ସ୍ୱରୂପ ଏକ ପିକଅପ୍‌ ଗାଡ଼ିରେ ଆଣି କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲାକୁ ଗୁରୁତ୍ୱ ସହକାରେ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ସମସ୍ତ ମୃତ ଛେଳିଙ୍କୁ ଛତାରେ ଥିବା ପ୍ରାଣୀ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯଥାଯଥ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ଗ୍ରାମଞ୍ଚଳରେ ଚାଷୀ ଓ ପଶୁପାଳକ ମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି।

0
0
0
s2sdefault