ଶ୍ରମିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିକା ମାନିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନିର୍ଦ୍ଦେଶ ଦେଇଛନ୍ତି। ଆଜି କ୍ଷେତ୍ର ପରିଦର୍ଶନ ସମୟରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କିଛି ସ୍ଥାନରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ଓ ଠିକାଦାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ଟେଲିଫୋନ୍ ଯୋଗେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଠିକାଦାର ଓ ନିର୍ମାଣ ସଂସ୍ଥାଙ୍କୁ ତୁରନ୍ତ ଚେତାବନୀ ଜାରି କରିବାକୁ ସେ କହିଛନ୍ତି। ସରକାରୀ ଗାଇଡଲାଇନ୍ ଉଲ୍ଲଂଘନ କରି ଯଦି କୌଣସି ଠିକାଦାର ଶ୍ରମିକଙ୍କୁ ଖରାରେ କାମ କରାନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ଝାରସୁଗୁଡ଼ାରେ ବର୍ତ୍ତମାନ ଜାରି ରହିଥିବା ଭୟଙ୍କର ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ସେ ଶ୍ରମିକମାନଙ୍କୁ ସତର୍କ କରାଇବା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ମଧ୍ୟାହ୍ନର ପିକ୍ ଆୱାର୍ ସମୟରେ ବାହାରେ କାମ ନକରି ଘର ଭିତରେ କିମ୍ବା ନିରାପଦ ସ୍ଥାନରେ ରହିବାକୁ ସେ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦିନ ପୂର୍ବରୁ ରେଳବାଇ ଓଭରବ୍ରିଜ୍ କାର୍ଯ୍ୟସ୍ଥଳରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଶ୍ରମ ବିଭାଗ ଚଢ଼ାଉ କରି ନୋଟିସ୍ ଜାରି କରିଥିଲା। ଜିଲ୍ଲାପାଳଙ୍କ ଏହି ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସମଗ୍ର ଜିଲ୍ଲାରେ ଶ୍ରମିକ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।








