ହେଡଲାଇନସ୍:

- ଗ୍ରାମାଞ୍ଚଳର ବିକାଶ ଓ ମହିଳା ସଶକ୍ତିକରଣ ହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: ବିଧାୟକ ଟଙ୍କଧର ତ୍ରିପାଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଝାରସୁଗୁଡ଼ା, ୨୪/୦୪ : ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ.ସି.ଏଲ ଅଡିଟୋରିୟମ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅତ୍ୟନ୍ତ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ।

ଆୟୋଜିତ ଏହି ଜାତୀୟ ପଞ୍ଚାୟତିରାଜ ଦିବସର ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଆଜି ସମଗ୍ର ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି । ସମସ୍ତ ଗ୍ରାମାଞ୍ଚଳର ବିକାଶ ହେବାସହ ସେଠାରେ ରହୁଥିବା ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ଗାଁ କୁ ସ୍ୱାୟତ୍ତତା ପ୍ରଦାନ ଦିଗରେ ଏହି ଦିନର ମହତ୍ୱ ରହିଛି । ଗାଁ ର ବିକାଶ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଜୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି ବୋଲି ସମ୍ବୋଧନ କରି ସମଗ୍ର ଭାରତ ବର୍ଷ ଓ ଓଡିଶା ମାଟିର ବିକାଶ ଦିଗରେ ସମସ୍ତେ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ନିଜର ଅଭିଭାଷଣରେ ମାନ୍ୟବର ବିଧାୟକ ସରକାରଙ୍କ ଉପଲବ୍ଧି ସମ୍ବନ୍ଧରେ ସୂଚନା ପ୍ରଦାନ କରି ଗାଁ ଗାଁ ରେ ପାନୀୟ ଜଳ ଯୋଗାଣ , ରାସ୍ତା ନିର୍ମାଣ, ଅନ୍ତୋଦୟ ଗୃହ ତଥା ସୁଭଦ୍ରା ଯୋଜନା ଜରିଆରେ କିପରି ବିକାଶ ହୋଇପାରୁଛି ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ସାଧାରଣ ଜନତା ଓ ଜନ ପ୍ରତିନିଧୀମାନେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ସହ ଗ୍ରାମାଞ୍ଚଳର ସମଗ୍ର ବିକାଶରେ ସାମିଲ ହେବାକୁ ସେ ଆହ୍ଵାନ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳର ବିକାଶ ଦାୟିତ୍ୱ ନିମନ୍ତେ ରାଜ୍ୟ ସରକାର ଏବେ ସ୍ଥାନୀୟ ଗ୍ରାମର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଓ ଯୋଜନା ଅନୁଯାଇ ସେମାନେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧିଷ୍ଟ ଅର୍ଥ ମଞ୍ଜୁର କରୁଛନ୍ତି ।

ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳାବତୀ ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ରଘୁନନ୍ଦନ ପଣ୍ଡା , ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ଲୋକ ସରନା, ଏବଂ ଝାରସୁଗୁଡା ବିଡିଓ ଶ୍ରୀ ଅନିଲ କୁମାର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ବିଶ୍ୱରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ପ୍ରଶାସନ ସର୍ବଦା ତତ୍ପର ବୋଲି କହିଥିଲେ।

ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଜନପ୍ରତିନିଧି ଓ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟାଂଶୁ ରୁଟ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ପଞ୍ଚାୟତ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

0
0
0
s2sdefault