ଚିଲିକା ପୁସ୍ତକ ମେଳା ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ:(ସେକ୍ କୌସର):ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସଭାପତିତ୍ୱ କରି ଶ୍ରୀ ପାଇକରାୟ ପୁସ୍ତକ ମେଳାର ବିଭିନ୍ନ ଦିବସର କାର୍ଯ୍ୟକ୍ରମ, ଲେଖକ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଚିଲିକା ଅଂଚଳର ବହୁ ସଂଖ୍ୟକ ବୁଦ୍ଧିଜୀବୀ,ସାହିତ୍ୟିକ, ଶିକ୍ଷାର୍ଥୀ, ଅଭିଭାବକ ଓ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ପ୍ରାୟ 80 ଟି ପୁସ୍ତକ ଷ୍ଟଲ ଏହି ମେଳାରେ ଯୋଗଦେବେ l ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ପୁସ୍ତକ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ପ୍ରତିଷ୍ଠିତ ସାହିତ୍ୟିକ ମାନେ ଯୋଗଦେଇ ଚିଲିକା ବାଣପୁର ଅଂଚଳର ସାହିତ୍ୟ,ସଂସ୍କୃତି, ଐତିହ୍ୟ ଓ ସାରସ୍ୱତ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହ ଲେଖକ, ସାରସ୍ୱତ ପ୍ରତିଭା, ପାଠକ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି l ପାଇକା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ପୁସ୍ତକମେଳାର ସଫଳତା ପାଇଁ ଚିଲିକା ସାହିତ୍ୟ ସମାଜର ସହଯୋଗ ସହ ଅଂଚଳର ଶିକ୍ଷିତ ଜନସାଧାରଣଙ୍କ ସମ୍ପୃକ୍ତି ପାଇଁ ଚିଲିକା ପୁସ୍ତକ ମେଳା କମିଟିର ସଦସ୍ୟ ମାନେ ନିବେଦନ କରିଛନ୍ତି l ଉକ୍ତ ବୈଠକରେ ପୁସ୍ତକ ମେଳା କମିଟିର ଉପଦେଷ୍ଟା ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଉପସଭାପତି ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଓ ବାଳ ମୁକୁନ୍ଦ ଦାସ, ସାଧାରଣ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, କାର୍ଯ୍ୟକାରୀ କମିଟି ସଦସ୍ୟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ବିଦ୍ୟାଧର ଜୁଝାର ସିଂ, ସନ୍ତୋଷ ବଳିୟାରସିଂହ, ଭିକାରୀ ଚରଣ ପ୍ରଧାନ, ରଙ୍କନାଥ ସେଠି, ସୌମ୍ୟକାନ୍ତ ତ୍ରିପାଠୀ, ରମେଶ ମହାପାତ୍ର, ମୃଡ଼ାଣି ଶଙ୍କର ମିଶ୍ର, ଚିଲିକା ପ୍ରେସ କ୍ଲବ ଓ ଶାଳିଆ ପ୍ରେସ କ୍ଲବର ସଭାପତି ଓ ପ୍ରତିନିଧିମାନେ ଯୋଗଦେଇ ମତାମତ ଦେଇଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା l

0
0
0
s2sdefault