ଧରିତ୍ରୀ ଦିବସ ପାଳନରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ ୧୯୭୦ ମସିହାରୁ ପ୍ରତିବର୍ଷ ଏପ୍ରିଲ ୨୨ ତାରିଖରେ ସାରା ବିଶ୍ୱରେ ଧରିତ୍ରୀ ଦିବସ ପାଳନ କରାଯାଉଛି। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ବିଭିନ୍ନ ପରିବେଶ ପ୍ରେମୀ ସଂଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚଳିତ ବର୍ଷର ଧରିତ୍ରୀ ଦିବସର ପ୍ରେରଣାଦାୟକ ବାର୍ତ୍ତା (ଆମର ଶକ୍ତି, ଆମର ପୃଥିବୀ) କୁ ଆଧାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ, ଜଙ୍ଗଲ ଓ ପାହାଡ଼ର ସୁରକ୍ଷା, ଜଙ୍ଗଲ ନିଆଁ ପ୍ରତିରୋଧ, ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇ ସୂର୍ଯ୍ୟ, ପବନ ଓ ଜୁଆର ଶକ୍ତି ପରି ବିକଳ୍ପ ଶକ୍ତିର ପ୍ରଚାର ଉପରେ ଜୋର ଦିଆଯାଇଛି। ଏହା ସହିତ ମୃତ୍ତିକା, ଜଳ ଓ ଶକ୍ତି ସଂରକ୍ଷଣ, ବାୟୁ, ଜଳ, ଧ୍ଵନି ଓ ମୃତ୍ତିକା ପ୍ରଦୂଷଣ ହ୍ରାସ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କମାଇବା, ରାସାୟନିକ ସାର ପରିବର୍ତ୍ତେ ଜୈବିକ କୃଷିକୁ ଆପଣେଇବା ଓ ଫସଲ ପରବର୍ତ୍ତୀ ଅବଶିଷ୍ଟ ପୋଡ଼ିବା ବନ୍ଦ କରିବା ପାଇଁ ସଚେତନତା ଜଗାଯାଇଛି।
ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ, ଗ୍ରୀନ କ୍ଲବ ହରିହରପୁର, ଅରୋ ମୀରା ଟ୍ରଷ୍ଟ କୁରାଳ ଆଦି ସଂଗଠନଙ୍କ ପକ୍ଷରୁ ସଭା, ସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି। ବିଶେଷତଃ ଓଡ଼ଗାଁ ସହ ପାର୍ଶ୍ୱବର୍ତ୍ତୀ କୁରାଳ, ହନୁମନ୍ତିଆ, ନାଉରିଆ, ଲଣ୍ଡାବାଦୁ, ଲୁଣି, ସୁଗୁମୁ, ଖଇରନଟି, ଡହଙ୍ଗି, ଝାଡ଼ସାହି, ମାରେଡି, ସାତପାଟିଆ, ହରିହରପୁର ଓ ଦଶପଲ୍ଲା ଅଞ୍ଚଳର ଗ୍ରାମଗୁଡ଼ିକରେ ପାରମ୍ପରିକ ପୂଜା ସାମଗ୍ରୀ ସହିତ ସଙ୍କୀର୍ତ୍ତନ ମାଧ୍ୟମରେ ଧରିତ୍ରୀ ମାତା ଓ ବୃକ୍ଷ ପୂଜନ କରାଯାଇଥିଲା।
ଆଗାମୀ ଦିନରେ ଜିଲ୍ଲାସାରା ଧରିତ୍ରୀ ମାତାଙ୍କ ପୂଜା ସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲା ପରିବେଶ ଓ ସାମାଜିକ କର୍ମୀ ସମନ୍ୱୟ ସମିତିର ସଂଯୋଜକ ସୁକାନ୍ତ ଚୌଧୁରୀ।

0
0
0
s2sdefault