ହେଡଲାଇନସ୍:

କଦଳୀ ବନ୍ଧ ଓ ମଠ ଖଜୁରୀଆ ସ୍କୁଲକୁ ବିଦ୍ୟୁତ୍ ଓ ପାନୀୟଜଳ ଯୋଗାଣ ପ୍ରତିଶ୍ରୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଓ ଏନ୍‌ଏସି ଅଧୀନସ୍ଥ କଦଳୀ ବନ୍ଧ ଏବଂ ମଠ ଖଜୁରୀଆ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଓ ପାନୀୟଜଳ ସମସ୍ୟା ସମାଧାନ ପାଇଁ ପୁନର୍ବାର ପ୍ରତିଶ୍ରୁତି ଦିଆଯାଇଛି। ସୋମବାର ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ଉଭୟ ବିଦ୍ୟାଳୟ ପକ୍ଷରୁ ଏହି ସମସ୍ୟା ଉଠା ଯାଇଥିଲା। ଅଭିଯୋଗ ଶୁଣିବା ପରେ ସମ୍ବନ୍ଧିତ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଓ ପାନୀୟଜଳ ବ୍ୟବସ୍ଥା ସୁନିଶ୍ଚିତ କରାଯିବ ବୋଲି କହାଯାଇଛି। ଏହା ପୂର୍ବରୁ ଗତ ଫେବୃଆରୀ ୧୬ ତାରିଖରେ ମଧ୍ୟ ଏହି ସମସ୍ୟା ନେଇ ଶିବିରରେ ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲା। ଏହି କାରଣରୁ ପୁନର୍ବାର ଅଭିଯୋଗ କରିବାକୁ ପଡ଼ିଥିଲା। ବିଦ୍ୟୁତ୍ ସଂଯୋଗ ପାଇଁ ଆବଶ୍ୟକ ଅର୍ଥ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍ ବିଭାଗକୁ ଜମା କରାଯାଇଥିବା ବେଳେ, ଓଡ଼ଗାଁ ବିଡିଓ ପ୍ରତିବାଳା ରଣା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ ରହିବେ ବୋଲି କହିଛନ୍ତି।
ଏପରି ସ୍ଥିତିରେ ଗରମ ଓ ଗୁଳୁଗୁଳି ପରିସ୍ଥିତିରେ ଶିଶୁମାନଙ୍କ ପାଇଁ ପଢ଼ାପଢି କଷ୍ଟକର ହୋଇପଡ଼ିଛି। ବିଡ଼ମ୍ବନାର କଥା ହେଲା, ଓଡ଼ଗାଁ ଏନ୍‌ଏସିକୁ ପାନୀୟଜଳ ଯୋଗାଣ କରୁଥିବା ଜଳ ବିଶୋଧନାଗାର ପାର୍ଶ୍ୱରେ ଥିବା କଦଳୀ ବନ୍ଧ ବିଦ୍ୟାଳୟ ପାଣିପାଇଁ ଶୋଷରେ ରହିବା ଦୁଃଖଦ କଥା। ଏବେ ପ୍ରଶାସନ ପକ୍ଷରୁ ମିଳିଥିବା ନୂତନ ପ୍ରତିଶ୍ରୁତି କାର୍ଯ୍ୟକାରୀ ନେଇ ଅଭିଭାବକମାନେ ଆଶାବାଦୀ ରହିଛନ୍ତି। ତେବେ ଯଦି ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଦୃଢ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

0
0
0
s2sdefault