ହେଡଲାଇନସ୍:

ସନ୍ଦେହଜନକ ମୃତ୍ୟୁ ନା ହତ୍ୟା? ଯୌତୁକ ଯୁଇରେ ନବବଧୂଙ୍କ ମୃତ୍ୟୁକୁ ନେଇ ତିବ୍ର ଚର୍ଚ୍ଚା !ହତ୍ୟା ଅଭିଯୋଗ ଆଣିଲେ ବାପା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡା:୨୧/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ଯୌତୁକ ଲୋଭ ପୁଣି ନେଇଗଲା ଆଉ ଏକ ନିର୍ଦୋଷ ଜୀବନ। ବାହାଘରର ରଙ୍ଗ ଏପର୍ଯ୍ୟନ୍ତ ଲିଭି ନଥିବାବେଳେ, ମଶାଣିରେ ସଜାଗଲା ନବବଧୂର ଚିତା। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସନ୍ଦେହ ଓ ଅଭିଯୋଗର ଘେରରେ ରହିଛି।
ମୃତ ଲିପା ସାହୁ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଅଭିମନ୍ୟୁ ସାହୁଙ୍କ ବଡ଼ ଝିଅ। ପ୍ରାୟ ଆଠ ମାସ ତଳେ ତାଙ୍କର ବିବାହ ଖମୋଳ ଗ୍ରାମର ରଜନୀକାନ୍ତ ମୁଦୁଲିଙ୍କ ପୁଅ ସୁଦର୍ଶନ ମୁଦୁଲି (ଜଗା) ସହ ବୈଦ୍ଧିକ ରୀତିନୀତିରେ ହୋଇଥିଲା। ବିବାହ ସମୟରେ ଯୌତୁକ ଦାବି ପୂରଣ ନ ହେବାକୁ କେନ୍ଦ୍ର କରି ନବବଧୂଙ୍କୁ ଶାଶୁଘରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି। ପରିବାର ଲୋକଙ୍କ କହିବା ଅନୁସାରେ, ଲିପା ସାହୁ ନିଜ ଉପରେ ହେଉଥିବା ନିର୍ଯାତନା ବିଷୟରେ ବାପଘରକୁ ବାରମ୍ବାର ଫୋନ କରି ଜଣାଇଥିଲେ, କିନ୍ତୁ କୌଣସି ସମାଧାନ ହୋଇନଥିଲା। ଏହି ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିବା ଘଟଣାକୁ ପ୍ରଥମେ ସନ୍ଦେହଜନକ ବୋଲି ଦେଖାଯାଉଛି। କିନ୍ତୁ ପରେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆଣାଯାଇଥିବାରୁ ଘଟଣା ଆଉ ଗୁରୁତର ରୂପ ନେଇଛି।ଅନ୍ୟପଟେ ସ୍ୱାମୀ ସୁଦର୍ଶନ ମୁଦୁଲି ବିବାହ ପରେ କିଛି ମାସ ମଧ୍ୟରେ କାମ କରିବାକୁ ଯାଇ ରାଜ୍ୟ ବାହାରେ ରହୁଥିବା ବେଳେ, ସ୍ତ୍ରୀଙ୍କ ମୃତ୍ୟୁ ସମ୍ବାଦ ତାଙ୍କୁ ଅବାକ କରିଦେଇଛି। ସ୍ୱାମୀ ଅନୁପସ୍ଥିତିରେ ଏପରି ଘଟଣା ଘଟିବା ଏହାକୁ ଆଉ ଅଧିକ ସନ୍ଦେହଜନକ କରିଛି।
ଏନେଇ ଝିଅ ଘର ପକ୍ଷରୁ ଡେରାବିଶ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ଶବ ବ୍ୟବଚ୍ଛେଦ ସରି ମୃତଦେହ ଘରକୁ ଆଣି ଶବ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଛି। ସେପଟେ ପୂର୍ବରୁ ଗିରଫ ହୋଇଥିବା ଶଶୁର ରଜନୀକାନ୍ତ ମୁଦୁଲିଙ୍କୁ ପରେ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ପ୍ରଶ୍ନ ଉଠୁଛି। ଯୌତୁକ ପ୍ରଥା ପୁଣିଥରେ ଏକ ଘରର ଆଲୋକକୁ ନିଭାଇଦେଇଛି। ସନ୍ଦେହଜନକ ମୃତ୍ୟୁ ନା ହତ୍ୟା—ଏହାର ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ନ୍ୟାୟ ପାଇଁ ଅପେକ୍ଷାରେ ରହିଛି ଏକ ନବବଧୂର ଅଧୂରା ସ୍ୱପ୍ନ।

0
0
0
s2sdefault