ହେଡଲାଇନସ୍:

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବି.ଏନ୍ ପେଲେସ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ନିକଟସ୍ଥ ଚାଷ ଜମିରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇ ଅଖି-ମୁଠି ଅନୁକୂଳ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ ପ୍ରକାଶ ରାଓ , କୃଷି ଜିଲ୍ଲା ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ରବୀନ୍ଦ୍ର କୁମାର ଆଡ଼େକ , କୃଷି ଜିଲ୍ଲା ଅଧିକାରୀ ଆର୍ ଉଦୟଗିରି ଶ୍ରୀ ବି ଏନ ମଙ୍ଗରାଜ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି ଶ୍ରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ଚାଷ ଜମିରେ ଧାନ ବୁଣିବା ସହ ଜମିରେ ହଳ ନଙ୍ଗଳ ବୁଲାଇ ଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରାଓ ଅକ୍ଷୟ ତୃତୀୟାର ଗୁରୁତ୍ଵ ଓ କୃଷି ଆନୁଷଙ୍ଗିକ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି କୃଷି କାର୍ଯ୍ୟ କରିବା ପାଇଁ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ସଚେତନତା କରାଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଅକ୍ଷୟ ତୃତୀୟା ପର୍ବର ପୌରାଣିକ ମହତ୍ତ୍ଵ ଓ ପ୍ରାସଙ୍ଗିକତା ବୁଝାଇଥିଲେ ।
ମଞ୍ଚାସିନ ଅଧିକାରୀ ନିଜ ନିଜ ଅଭିଭାଷଣରେ ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନାର ଲାଭ ଉଠାଇବା , ଆଧୁନିକ କୃଷି ପ୍ରଣାଳୀ ସହ ଅବଗତ ହେବା ପାଇଁ ଚାଷୀମାନଙ୍କୁ ଆହ୍ଵାନ କରିଥିଲେ । ଜିଲ୍ଲାସ୍ତରୀୟ କାର୍ଯକ୍ରମ ପରେ ରାଜ୍ୟସ୍ତରୀୟ କାର୍ଯକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ , ବ୍ଲକ୍ କୃଷି ଅଧିକାରୀ , ଗ୍ରାମ୍ୟ କୃଷି କର୍ମଚାରୀ , କୃଷକ ସାଥୀ ଏବଂ କୃଷି ଓ ଆନୁଷଙ୍ଗିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଭାଇଭଉଣୀମାନେ ଯୋଗ ଦେଇଥିଲେ।

0
0
0
s2sdefault