ହେଡଲାଇନସ୍:

ଜାତୀୟ ରଗବୀ ମଞ୍ଚରେ ଓଡ଼ିଶା ଦଳର ଦୀପ୍ତିମାନ ତାରକା ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଚମ୍ପିୟନ୍ ଖେଳାଳି ଚିନ୍ନା ଶବରଙ୍କୁ ସମ୍ବର୍ଦ୍ଧନା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମର ପବିତ୍ର କ୍ରୀଡ଼ାଭୂମିରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିଅନସିପ୍‌ରେ ଚଉଦ ବର୍ଷରୁ କମ୍ ବର୍ଗର ବାଳକ ବିଭାଗରେ ଓଡ଼ିଶା ଦଳ ଶ୍ରେଷ୍ଠ ପ୍ରତିଭା ଓ ସମନ୍ୱୟର ଅପୂର୍ବ ଦୃଷ୍ଟାନ୍ତ ପ୍ରଦାନ କରି ଚମ୍ପିୟନ ମୁକୁଟ ପିନ୍ଧିଛି ।
ଏହି ଗୌରବମୟ ଜୟଯାତ୍ରାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା , ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀମାନ ଚିନ୍ନା ଶବରଙ୍କ ସ୍ଥାନ ବିଶେଷ ଉଲ୍ଲେଖନୀୟ। ବାର ଜଣିଆ ଓଡ଼ିଶା ଦଳରେ ସେ ନିଜର ଦକ୍ଷତା , ସାହସ ଓ ଖେଳ ନୈପୁଣ୍ୟରେ ଏକ ଦୃଢ଼ ସ୍ତମ୍ଭର ଭୂମିକା ଗ୍ରହଣ କରିଥିଲେ। ଅଧିନାୟକ ଗୋପି ମାଝିଙ୍କ ନେତୃତ୍ୱରେ ଦଳଟି ଯେପରି ଅଦମ୍ୟ ଆତ୍ମବିଶ୍ୱାସରେ ପଡ଼ିଆରେ ଲଗାତର ବିଜୟ ହାସଲ କରିଛି , ତାହା ଦର୍ଶକଙ୍କୁ ବିମୋହିତ କରିଥିଲା।
ଗତ ସପ୍ତାହରେ ଆୟୋଜିତ ଲିଗ୍ ପର୍ଯ୍ୟାୟରେ ମଧ୍ୟପ୍ରଦେଶ , ଜମ୍ମୁ ଓ କାଶ୍ମୀର ଏବଂ ଦିଲ୍ଲୀ ପରି ଶକ୍ତିଶାଳୀ ଦଳଗୁଡ଼ିକୁ ପରାସ୍ତ କରି ଓଡ଼ିଶା ଆଗକୁ ବଢ଼ିଥିଲା। କ୍ୱାର୍ଟର ଫାଇନାଲରେ ପଞ୍ଜାବ , ସେମିଫାଇନାଲରେ ମହାରାଷ୍ଟ୍ରକୁ ପରାସ୍ତ କରି ଦଳଟି ଫାଇନାଲକୁ ପ୍ରବେଶ କରିଥିଲା। ଶେଷ ମ୍ୟାଚରେ ବିହାର ଦଳକୁ ୫–୦ରେ ପରାସ୍ତ କରି ଓଡ଼ିଶା ଦଳ ଚମ୍ପିୟନ ରୂପେ ନିଜ ଅସ୍ତିତ୍ୱକୁ ସୁଦୃଢ଼ କରିଥିଲା।
ଗରିମାମୟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , କମିଶନର ତଥା ଶାସନ ସଚିବ ଡ଼ଃ ଏନ୍. ତିରୁମଲା ନାୟକ , ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୀରେନ୍ଦ୍ର କର୍କରା , ଓଡ଼ିଶା ରଗବୀ ଆସୋସିଏସନ୍‌ର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର , ପର୍ଯ୍ୟବେକ୍ଷକ ଶ୍ରୀ ଅରବିନ୍ଦ ଯାଦବ ଓ ସହ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରସାଦ ପରିଡ଼ା , ଶ୍ରୀମତୀ ଫୁଲମଣୀ ମୁର୍ମୁ ଉପସ୍ଥିତ ଥିଲେ। ସେମାନେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ଯୁବ ଖେଳାଳିମାନଙ୍କର ଦଳୀୟ ମନୋଭାବ , ଶୃଙ୍ଖଳା ଓ ଅଦମ୍ୟ ଉତ୍ସାହକୁ ଭୂୟସୀ ପ୍ରଶଂସା କରିଥିଲେ।
ବିଜୟୀ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ଜୀବା ଗ୍ରାମରେ ଗ୍ରାମପଞ୍ଚାୟତ , ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ , ସଦସ୍ୟା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜନ ସହ ଏହି ସଫଳତା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖେଳ ଶିକ୍ଷକ ଶ୍ରୀ ଶିବରାମ ଭୂୟାଁ ଏବଂ ଖେଳାଳି ଶ୍ରୀମାନ ଚିନ୍ନା ଶବରଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଆଗାମୀ ଭବିଷ୍ୟତରେ ଏଭଳି ସଫଳତା ହାସଲ କରିବା ନିମନ୍ତେ ଉତ୍ସାହିତ କରିଥିଲେ।
ଏହି ଶୁଭ ଅବସରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault