ବିଜେପୁର :-ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ଏବେ ଜନଜୀବନକୁ ଅସ୍ଥିର କରିଦେଇଛି। ଏହି ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ପୁଣିଥରେ ପାରମ୍ପରିକ ଉପାୟମାନଙ୍କୁ ଆଶ୍ରୟ କରୁଛନ୍ତି। ସେହିମଧ୍ୟରୁ ମାଟି ହାଣ୍ଡି ବ୍ୟବହାର ପ୍ରତି ଆକର୍ଷଣ ଏବେ ଲକ୍ଷଣୀୟ ଭାବରେ ବଢ଼ିଛି।ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ଏହି ପାରମ୍ପରିକ ଶିଳ୍ପ ପାଇଁ ଆଜି ବିଶେଷ ଭାବେ ଚର୍ଚ୍ଚାରେ ରହିଛି। ଗ୍ରାମର କୁମ୍ଭାର ପରିବାରମାନେ ଏବେ ଦିନରାତି ଏକ କରି ମାଟିର ହାଣ୍ଡି, ଘଡ଼ା, ଓ ବିଭିନ୍ନ ପ୍ରକାରର ପାତ୍ର ତିଆରି କରୁଛନ୍ତି। ଗ୍ରୀଷ୍ମ ଆସିଲେ ଏହି ଶିଳ୍ପରେ ଜୀବନ ଫେରିଆସେ, ଏବଂ ଏହା କୁମ୍ଭାରମାନଙ୍କ ପାଇଁ ଆୟର ମୁଖ୍ୟ ସୂତ୍ର ହୋଇଉଠେ।ଆଧୁନିକ ସମୟରେ ଫ୍ରିଜ୍ ଓ ୱାଟର କୁଲର ଭଳି ଯନ୍ତ୍ରପାତି ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ସତ୍ତ୍ୱେ ମାଟି ହାଣ୍ଡିର ଚାହିଦା କମିନାହିଁ। ବରଂ ଏହାର ପ୍ରାକୃତିକ ଶୀତଳତା, ପାଣିର ସ୍ୱାଦରେ ଥିବା ମାଟିର ଗନ୍ଧ ଓ ସ୍ୱାସ୍ଥ୍ୟକର ଗୁଣ ଲୋକମାନଙ୍କୁ ପୁଣି ଏହି ପୁରୁଣା ପଦ୍ଧତିକୁ ଆକର୍ଷିତ କରୁଛି ବିଶେଷଜ୍ଞମାନଙ୍କ ମତରେ, ମାଟିର ହାଣ୍ଡିରେ ରଖାଯାଇଥିବା ପାଣି ସ୍ୱାଭାବିକ ଭାବେ ଶୀତଳ ରହିଥାଏ ଏବଂ ଏହା ଶରୀର ପାଇଁ ହାନିକାରକ ନୁହେଁ।ତାଳପଦର ଗ୍ରାମର କୁମ୍ଭାର ବୈସାଖୁ ରଣା ଏହି ପାରମ୍ପରିକ କଳାକୁ ଆଜିବି ନିଜ ନିଷ୍ଠା ଓ ପରିଶ୍ରମରେ ଜୀବନ୍ତ ରଖିଛନ୍ତି। ତାଙ୍କ କୁମ୍ଭାର ଶାଳରେ ଚକର ଘୂର୍ଣ୍ଣନ ଥାମେନାହିଁ। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମାଟିକୁ ଆକାର ଦେଉଛନ୍ତି କେହି ମାଟି ତିଆରି କରୁଛନ୍ତି, କେହି ଚକରେ ପାତ୍ର ଗଢ଼ୁଛନ୍ତି, ଆଉ କେହି ଶୁଖାଇବା ଓ ପୋଡ଼ିବା କାମରେ ବ୍ୟସ୍ତ।ବୈସାଖୁ ରଣା କହିଛନ୍ତି, “ଖରା ଦିନ ଆସିଲେ ଆମର କାମ ବହୁତ ବଢ଼ିଯାଏ। ଏବେ କେବଳ ଗାଁ ନୁହେଁ, ସହରରୁ ମଧ୍ୟ ଲୋକେ ମାଟି ହାଣ୍ଡି କିଣିବାକୁ ଆସୁଛନ୍ତି। ଏହା ଆମର ପୂର୍ବପୁରୁଷଙ୍କ ପେଶା, ତେଣୁ ଏହାକୁ ଛାଡ଼ିଦେବାକୁ ଆମେ ଚାହୁଁନାହୁଁ।”ତଥାପି ଏହି ଶିଳ୍ପ ସମସ୍ୟାରୁ ମୁକ୍ତ ନୁହେଁ। କଞ୍ଚାମାଲ ଭାବେ ଭଲ ମାଟିର ଅଭାବ, ଇନ୍ଧନ ଖର୍ଚ୍ଚ ବୃଦ୍ଧି ଓ ପରିବହନ ସମସ୍ୟା ଶିଳ୍ପୀମାନଙ୍କୁ ବିପଦରେ ପକାଇଛି। ବଜାରରେ ଚାହିଦା ଥିଲେ ମଧ୍ୟ ଲାଭ ଅନୁପାତିକ ଭାବେ ବଢ଼ୁନାହିଁ ବୋଲି ସେମାନେ ଅଭିଯୋଗ କରୁଛନ୍ତି।କୁମ୍ଭାରମାନଙ୍କ ମତରେ, ସରକାର ଯଦି ଏହି କୁଳବୃତ୍ତିକୁ ଅଧିକ ପ୍ରୋତ୍ସାହନ ଦେଇଥାନ୍ତା, ତେବେ ଏହା ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିପାରିଥାନ୍ତା। କମ୍ ସୁଧରେ ଋଣ, ଆଧୁନିକ ଯନ୍ତ୍ରପାତି, ଏବଂ ବଜାର ସଂଯୋଗ ସୁବିଧା ମିଳିଲେ ଏହି ଶିଳ୍ପ ଆହୁରି ବିକଶିତ ହୋଇପାରିବ।ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ମାଟି ପାତ୍ର ବ୍ୟବହାର ଏକ ଶ୍ରେଷ୍ଠ ବିକଳ୍ପ। ପ୍ଲାଷ୍ଟିକ୍ ଓ ଧାତୁର ପାତ୍ର ତୁଳନାରେ ମାଟିର ପାତ୍ର ପରିବେଶକୁ କୌଣସି କ୍ଷତି କରେନାହିଁ। ଏହା ଶତପ୍ରତିଶତ ପ୍ରାକୃତିକ ଓ ପୁନଃଚକ୍ରୀକୃତ ହୋଇପାରୁଥିବା ଦ୍ରବ୍ୟ।ସମୟର ସ୍ରୋତରେ ଆଧୁନିକତା ଯେପରି ବଢୁଛି, ସେପରି ଲୋକମାନେ ଆସ୍ତେଆସ୍ତେ ପ୍ରକୃତି ସହ ଜଡିତ ଜୀବନଶୈଳୀକୁ ଫେରିବାରେ ରୁଚି ଦେଖାଉଛନ୍ତି। ତାଳପଦର ଗ୍ରାମର ଏହି ପ୍ରୟାସ ତାହାର ଜ୍ୱଲନ୍ତ ଉଦାହରଣ।ସେହିପରି ନିଷ୍ଠା, ପରିଶ୍ରମ ଓ ପାରମ୍ପରିକତା ପ୍ରତି ଆଦର ଥିଲେ, କୌଣସି ପୁରୁଣା ଶିଳ୍ପ ମଧ୍ୟ ନୂତନ ଯୁଗରେ ନିଜ ସ୍ଥାନ ରଖିପାରିବ ତାଳପଦରର କୁମ୍ଭାରମାନେ ଏହାକୁ ପୁଣିଥରେ ସାବିତ କରିଛନ୍ତି।
ରାଜ୍ୟ
ପ୍ରଚଣ୍ଡ ଗ୍ରୀଷ୍ମରେ ମାଟି ହାଣ୍ଡିର ଚାହିଦା ବୃଦ୍ଧି: ପାରମ୍ପରିକ କଳାକୁ ଜୀବନ୍ତ ରଖୁଛନ୍ତି କୁମ୍ଭାର
- Hits: 265








