ହେଡଲାଇନସ୍:

ସିଜିମାଳିରେ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିସିସିର ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠିତ

ସିଜିମାଳି ଆନ୍ଦୋଳନ ପରିପ୍ରେକ୍ଷୀରେ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ କମିଟି। ପିସିସି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ଏହି ଆନ୍ଦୋଳନରେ ପୁଲିସର ଦମନଲୀଳାକୁ ନିନ୍ଦା କରୁଛୁ। ହିଂସା ଦ୍ବାରା କୌଣସି ଆନ୍ଦୋଳନ ସଫଳ ହୁଏନାହିଁ। ବିସ୍ଥାପିତଙ୍କ ପାଇଁ ନ୍ୟାୟ ଆଣିବାକୁ ହେଲେ ଧୈର୍ଯ୍ୟର ସହ ଶାନ୍ତିପୂର୍ଣ୍ଣ ଲଢ଼େଇ କରି ଜିତିବାକୁ ହେବ। ଏହି ପ୍ରକଳ୍ପରେ ପ୍ରଭାବିତ ହେଉଥିବା ଲୋକଙ୍କ ସ୍ବାର୍ଥ ହିଁ କଂଗ୍ରେସର ସବୁଠୁ ବଡ଼ ଲକ୍ଷ୍ୟ। ତେବେ ଏହାକୁ ହିଂସାତ୍ମକ ଉପାୟରେ ହାସଲ କରିହେବ ନାହିଁ। ଆଗକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ହେବ। ପୁଲିସ ଦମନଲୀଳା କରିବାକୁ ସୁଯୋଗ ପାଇବ ନାହିଁ। ଦୀର୍ଘ ହେଉ ପଛେ, ୫ ବର୍ଷର ଶାନ୍ତିପୂର୍ଣ୍ଣ ଲଢ଼େଇ ଦ୍ବାରା କିପରି ନ୍ୟାଯ୍ୟଦାବି ହାସଲ କରାଯାଇପାରେ ନିୟମଗିରି ତା’ର ଏକ ଉଦାହରଣ। ୨୦୦୫ରେ ଏହି ଆନ୍ଦୋଳନର ନେତୃତ୍ବ କଂଗ୍ରସ ନେବା ପୂର୍ବରୁ କିଛିକିଛି ହିଂସାକାଣ୍ଡ ଘଟିଥିଲା। ପୁଲିସ ଆଦିବାସୀ ଡଂଗରିଆଙ୍କୁ ଜେଲରେ ମଧ୍ୟ ପୂରାଇଦେଇଥିଲା। କିନ୍ତୁ ଏହା ପରେ ଦାବି ହାସଲ ହେବା ଯାଏ ଆଉ ଛୋଟ ଗଣ୍ଡଗୋଳ ମଧ୍ୟ ଘଟି ନ ଥିଲା, ଅଥଚ ଆନ୍ଦୋଳନରେ କଂଗ୍ରେସ ସଫଳତା ଆଣିଦେଇଥିଲା।
ଓଡ଼ିଶାରେ ଯେତେବେଳେ ବି ଯେଉଁଠି ଖଣିଜ ସମ୍ପଦ ଉତ୍ତୋଳନ କିମ୍ବା ଶିଳ୍ପାନ୍ବୟନ ହୋଇଛି, ବିସ୍ଥାପନ ସମସ୍ୟାର ସହଜ ସମାଧାନର ରାସ୍ତା କୌଣସି ସରକାର କିମ୍ବା ପ୍ରଶାସନ ବାହାର କରିବା ପାଇଁ ଆନ୍ତରିକତା ଦେଖାଇ ନାହାନ୍ତି। ପ୍ରଭାବିତ ଲୋକଙ୍କ ପ୍ରତି କ୍ରମାଗତ ସରକାର ଓ ପ୍ରଶାସନ ଅସମ୍ବେଦଳଶୀଳ ହେବା ଫଳରେ ବିସ୍ଥାପିତଙ୍କୁ ନ୍ୟାୟ ମିଳୁନାହିଁ। ଅବୈଧ ଖଣିଜ ଉତ୍ତୋଳନରେ ଖୋଦ ସରକାର ସଂପୃକ୍ତ ରହୁଥିବାରୁ ରାଜ୍ୟରେ କୌଣସି ପ୍ରକଳ୍ପରେ ପେସା ଆଇନ କାର୍ଯ୍ୟକାରୀ ହେଉନାହିଁ। ପ୍ରତିଥର ପ୍ରକଳ୍ପ ଦ୍ବାରା ପ୍ରଭାବିତ ଲୋକେ ହିଁ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି ଏବଂ ପ୍ରତିଥର କଂଗ୍ରେସ ଦଳ ହିଁ ପ୍ରଭାବିତମାନଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରି ସଫଳ ହୋଇଛି। କେବଳ ନିୟମଗିରି ନୁହେଁ, ଛେଣ୍ଡିପଦାରେ ମଧ୍ୟ ଖଣି ଦ୍ବାରା ବାସ୍ତୁହରା ହେଉଥିବା ଲୋକଙ୍କ ଆନ୍ଦୋଳନକୁ କଂଗ୍ରେସ ବଳ ଦେଇଛି। ନିକଟରେ ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା ଅଞ୍ଚଳରେ ଆଦିବାସୀ ପାନଚାଷୀମାନଙ୍କୁ ଜେଏସଡବ୍ଲୁ କରୁଥିବା ଅନ୍ୟାୟ ବିରୋଧରେ କଂଗ୍ରେସ ଦଳ ଲଢ଼େଇ କରିଛି। ସଂପ୍ରତି ସିଜିମାଳିରେ ଘଟିଥିବା ହିଂସାକାଣ୍ଡକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ଏହି ଘଟଣା ଅନୁଧ୍ୟାନ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପିସିସି ପକ୍ଷରୁ ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଏକ ପ୍ରତିନିଧି ଦଳ ଗଠନ କରାଯାଇଛି। କୋରାପୁଟ ସାଂସଦ ତଥା ଉତ୍ତର-ପୂର୍ବାଂଚଳ ରାଜ୍ୟସମୂହର ଏଆଇସିସି ପ୍ରଭାରୀ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ସହ-ଅଧ୍ୟକ୍ଷ ରହିଥିବା ବେଳେ ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ଲ, ପିସିସି ଜନଜାତି ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶବନ୍ତ ସିଂହ ଲାଗୁରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ବରିଷ୍ଠ କଂଗ୍ରେସ ନେତ୍ରୀ ରତ୍ନମଣି ଉଲାକା ଓ ଅମିତା ବିଶ୍ବାଳ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି ଦଳ ଆସନ୍ତା ୧୦ ତାରିଖ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚିବ। ଏହି ଦଳ ସହିତ ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଡିସିସି ସଭାପତି, କଳାହାଣ୍ଡି ଡସିସି ସଭାପତି, ସମସ୍ତ ସଂପୃକ୍ତ ବ୍ଲକ୍‌ର କଂଗ୍ରେସ ସଭାପତି ତଥା ଦଳର ବରିଷ୍ଠ ନେତୃବୃନ୍ଦ ଓ ଡିସିସି କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗସ୍ତ ହେଉଥିବା ପ୍ରଭାବିତ ଲୋକଙ୍କ ସହିତ ସେମାନଙ୍କର ଏ ଦୁର୍ଦ୍ଦିନରେ ରହିବାକୁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି।

0
0
0
s2sdefault