ବେଲଗୁଣ୍ଠା, ୦୮/୦୪-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ନିକଟସ୍ଥ କେବିରି ବ୍ରହ୍ମପୁର ଗ୍ରାମରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି I ଗାଲେରୀ ଦଣ୍ଡକୁ ଗଞ୍ଜାମରେ ସର୍ବପୁରାତନ ଏବଂ ପ୍ରତ୍ୟେକ୍ଷ ଦଣ୍ଡର ମାନ୍ୟତା ଦିଆଯାଇଥିବା ବେଳେ ଆଜି ମାଆଙ୍କ ଆଗମନରେ ଅଞ୍ଚଳରେ ଉତ୍ସାହ ଖେଳିଯାଇଥିଲା I ଗାଲେରୀ ଦଣ୍ଡ ଦଳରେ ପାଖପାଖି ୭୦୦ ଦଣ୍ଡୁଆ ଅଂଶଗ୍ରହଣ କରିଥିବା ବେଳେ ଗ୍ରାମକୁ ସେମାନଙ୍କର ପ୍ରବେଶ ସମୟରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା I ମାଆଙ୍କ ଗ୍ରାମକୁ ପ୍ରବେଶ ପରେ ସକାଳେ ଗ୍ରାମ ଦେବଦେବୀଙ୍କୁ ବନ୍ଦନା କରାଯାଇଥିଲା I ମଧ୍ୟାହ୍ନରେ ଧୂଳି ଦଣ୍ଡ ଏବଂ ଅପରାହ୍ଣରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟା ସମୟରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ଆଜି ଦିନ ସାରା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ରାତିରେ ମାଆଙ୍କର ସନ୍ଧ୍ୟା ଆଳତି, ପ୍ରସାଦ ସେବନ, ପରଭା ନୃତ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ସାମାଜିକ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି I ଗ୍ରାମବାସୀଙ୍କ ତରଫରୁ ଆଜି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ପରିଚାଳନା କରାଯାଇଥିବା ବେଳେ ବେଲଗୁଣ୍ଠା ପୋଲିସ୍ ତରଫରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିଲା I ସେହିପରି ବେଲଗୁଣ୍ଠା ଆଳିଆ ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ, ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଝାଡ଼ଭୂମି ଦଣ୍ଡ ଏବଂ ନିକଟସ୍ଥ ଷୋଡ଼ଙ୍ଗାଇ ଗ୍ରାମରେ ଜଗନ୍ନାଥପ୍ରସାଦ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି I
ରାଜ୍ୟ
ବେଲଗୁଣ୍ଠା ଅଞ୍ଚଳରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ; ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
- Hits: 9








