ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ ମାମଲା ରୁଜୁ
ଓଡ଼ଗାଁ,୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବେରୁହାଁବାରୀ ଗାଁରେ ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୨ ମାମଲା ରୁଜୁ ହୋଇଛି।୪ ଦିନ ପୂର୍ବେ ବେରୁହାଁବାରୀ ଗାଁ ପୋଖରୀ ତୁଠରେ ଜଣେ ବାଳକ ସ୍ନାନ କରୁଥିବା ବେଳେ ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ସେଠାରେ ଗାଧୋଇବା ପାଇଁ ବାଳକକୁ ମନା କରିଦେଇଥିଲେ।ବାଳକ ଜଣକ ଉକ୍ତ ଘଟଣା ସମ୍ପର୍କରେ ଘରେ ସୂଚନା ଦେବା ପରେ ବାଳକର ବାପା ପ୍ରକାଶ ନାୟକ ଏବଂ ମା' ଝିଲି ନାୟକ ତୁଠରେ ଗାଧୋଇବାକୁ ମନାକରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ପଚରାଉଚରା କରୁଥିବା ବେଳେ ଅଞ୍ଜଳି ସେଠୀ ସ୍ବାମୀ ସନ୍ତୋଷ ସେଠୀ,ଏବଂ ପଡ଼ୋଶୀ ଭଗବାନ ସେଠୀ ତୁଠରେ ବାଳକର ଗାଧୁଆପାଧୁଆକୁ ବିରୋଧ କରିବା ଯୋଗୁଁ ଉଭୟ ପରିବାର ମଧ୍ୟରେ ବଚସାରୁ ଟଣା ଓଟରା ହୋଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୯୩/୨୦୨୬ ଏବଂ ୯୪/୨୦୨୬ରେ ଉଭୟ ପକ୍ଷରୁ ୫ଜଣଙ୍କ ନାମରେ ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି ଉଭୟ ଗୋଷ୍ଠୀ ଅନୁସୂଚିତ ଜାତିର ଅଟନ୍ତି।








