ହେଡଲାଇନସ୍:

ଛତିଶଗଡ଼ ଗାଁରେ ଓଡ଼ିଆଙ୍କ ସଂସ୍କୃତି ପରମ୍ପରା: ପରିଚୟରେ ଛତିଶଗଡିଆ, ହୃଦୟରେ ଖାଣ୍ଟି ଓଡ଼ିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :-ଭାଷା ଚାଲିଚଳଣି ଓ ସଂସ୍କୃତିରେ ଖାଣ୍ଟି ଓଡ଼ିଆ, କିନ୍ତୁ ପରିଚୟରେ ଛତିଶଗଡିଆ ଏହି ଅନନ୍ୟ ପରିସ୍ଥିତି ଆଜି ସୀମାନ୍ତବର୍ତ୍ତୀ ଅଞ୍ଚଳର ଗୋଟିଏ ଗାଁକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲ୍ଲା ସୀମାରେ ଅବସ୍ଥିତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶଙ୍କରା ଗାଁ ଏହାର ଜୀବନ୍ତ ଉଦାହରଣ, ଯେଉଁଠାରେ ଲୋକମାନେ ପ୍ରଶାସନିକ ଭାବେ ଛତିଶଗଡ଼ର ଅଂଶ ହେଲେ ମଧ୍ୟ ସଂସ୍କୃତିକ ଭାବେ ଓଡ଼ିଆ ରହିଛନ୍ତି।
ବରଗଡ଼ ସଦର ମହକୁମାଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ ଶଙ୍କରା ଗାଁ ଚାରିପାଖରେ ଓଡ଼ିଶାର ବିଭିନ୍ନ ଗାଁ ଥିବା ସତ୍ୱେ ଏହା ପ୍ରଶାସନିକ ଭାବେ ଛତିଶଗଡ଼ରେ ଶାମିଲ। ଏହି ଭୌଗୋଳିକ ବିଚିତ୍ରତା ଗାଁଟିକୁ ଅନ୍ୟ ଗାଁମାନଙ୍କ ଠାରୁ ଅଲଗା ପରିଚୟ ଦେଇଛି।ପ୍ରାୟ ୫୦୦୦ରୁ ଅଧିକ ଜନସଂଖ୍ୟା ଓ ୧୪୦୦ ପରିବାର ଥିବା ଏହି ଗାଁର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭରଶୀଳ। ଧାନ ଚାଷ ସହ ସବ୍ଜି ଓ ଅନ୍ୟାନ୍ୟ ଫସଲ ଏଠାରେ ଉତ୍ପାଦନ ହୁଏ।ଛତିଶଗଡ଼ ରାଜ୍ୟର ଅଧୀନରେ ଥିବାରୁ ସ୍କୁଲରେ ହିନ୍ଦୀରେ ପାଠପଢ଼ା ହେଉଛି।ସରକାରୀ କାର୍ଯ୍ୟାଳୟ, ଅଫିସ ଓ ସମସ୍ତ କାଗଜପତ୍ର ହିନ୍ଦୀରେ ଚାଲିଥାଏ।ତଥାପି ଗାଁର ଦୈନିକ ଜୀବନରେ ଓଡ଼ିଆ ଭାଷାର ଅଧିକାର ଅବିଚଳ। ଘରେ, ହାଟବଜାରରେ,ପର୍ବପର୍ବାଣୀରେ ଲୋକମାନେ ଖାଣ୍ଟି ଓଡ଼ିଆରେ କଥାହୁଅନ୍ତି । ଛୋଟ ଛୁଆମାନେ ମଧ୍ୟ ଘରେ ଓଡ଼ିଆ ଶିଖୁଥିବା ବେଳେ ସ୍କୁଲରେ ହିନ୍ଦୀ ପଢ଼ୁଛନ୍ତି ଏହା ଦୁଇ ସଂସ୍କୃତିର ଏକ ଅନନ୍ୟ ସମ୍ମିଶ୍ରଣ।ଶଙ୍କରା ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ। ଓଡ଼ିଆଙ୍କର ପ୍ରଚଳିତ ବାରମାସେ ତେର ପରବ ପରମ୍ପରାକୁ ଏଠାରେ ମଧ୍ୟ ସମାନ ଉତ୍ସାହରେ ପାଳନ କରାଯାଉଛି।ଗାଁରେ ରଥଯାତ୍ରା, ନୂଆଁଖାଇ, ପୁଷ ପୁନି, ଧନୁଯାତ୍ରା, ନନ୍ଦୋତ୍ସବ ପର୍ବଗୁଡ଼ିକୁ ଧୂମଧାମରେ ପାଳନ କରାଯାଏ। ପର୍ବ ସମୟରେ ଗାଁରେ ମେଳା, ଯାତ୍ରା ଓ ଲୋକନୃତ୍ୟର ଆୟୋଜନ ହୁଏ, ଯାହା ଗାଁର ସାମୁହିକ ଏକତାକୁ ଶକ୍ତିଶାଳୀ କରେ।ଗାଁର ଲୋକମାନେ ଦୈନିକ ଆବଶ୍ୟକତା, ବଜାର ଓ ବ୍ୟବସାୟ ପାଇଁ ବରଗଡ଼ ଜିଲ୍ଲା ଉପରେ ଅଧିକ ନିର୍ଭର କରୁଛନ୍ତି। ସବଜି ଠାରୁ ଆରମ୍ଭ କରି ଦୈନିକ ଜିନିଷପତ୍ର ପର୍ଯ୍ୟନ୍ତ ଅଧିକାଂଶ ସାମଗ୍ରୀ ବରଗଡ଼ ଠାରୁ ଆଣାଯାଉଛି।ଏହାରୁ ସ୍ପଷ୍ଟ ହୁଏ ଯେ, ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଗାଁଟି ଓଡ଼ିଶା ସହ ଅଧିକ ଜଡ଼ିତ ରହିଛି, ଯଦ୍ୟପି ପ୍ରଶାସନିକ ଭାବେ ଛତିଶଗଡ଼ରେ ରହିଛି ଗ୍ରାମବାସୀମାନଙ୍କ କହିବା ଅନୁସାରେ, ୧୮ଶ ଶତାବ୍ଦୀରେ ସମ୍ବଲପୁରରେ ଚୌହାନ ବଂଶର ଶାସନ ସମୟରେ ରାଜା ଜୟ ସିଂ ତାଙ୍କ ଝିଅଙ୍କ ବିବାହ ସାରଙ୍ଗଗଡ଼ ରାଜାଙ୍କ ପୁଅ ସହ କରିଥିଲେ। ସେତେବେଳେ ଶଙ୍କରା ସହିତ ପାଞ୍ଚଟି ଗାଁକୁ ଯୌତୁକ ଭାବେ ଦିଆଯାଇଥିଲା।ପରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଚାରିଟି ଗାଁ ଜଳମଗ୍ନ ହୋଇଯାଇଥିଲା, କିନ୍ତୁ ଶଙ୍କରା ଗାଁଟି ଅବିକଳ ରହି ଛତିଶଗଡ଼ରେ ଶାମିଲ ହୋଇଥିଲା। ଏହି ଇତିହାସ ଗାଁର ପରିଚୟକୁ ଅନ୍ୟରକମ କରିଦେଇଛି।
ପୂର୍ବରୁ ଗାଁକୁ ଯିବାକୁ ଭଲ ରାସ୍ତା ନଥିଲା ଓ ଛତିଶଗଡ଼ ସହ ଯୋଗାଯୋଗ କଷ୍ଟସାଧ୍ୟ ଥିଲା। ଏହି କାରଣରୁ ଗ୍ରାମବାସୀମାନେ ଓଡ଼ିଶାରେ ମିଶିବାକୁ ଇଚ୍ଛା କରୁଥିଲେ।କିନ୍ତୁ ଗତ କିଛି ବର୍ଷରେ ଛତିଶଗଡ଼ ସରକାର ପକ୍ଷରୁ ରାସ୍ତା, ଶିକ୍ଷା, ପାଣି ଓ ଅନ୍ୟାନ୍ୟ ମୂଳଭୂତ ସୁବିଧା ଉନ୍ନତି ହୋଇଥିବାରୁ ଗାଁର ଜୀବନ ମାନ ଉନ୍ନତ ହୋଇଛି। ଏହାରୁ ଲୋକମାନେ ବର୍ତ୍ତମାନ ଆନୁକୂଳ୍ୟ ଅନୁଭବ କରୁଛନ୍ତି।ସାଂସ୍କୃତିକ ଭାବେ ଓଡ଼ିଆ ହେଲେ ମଧ୍ୟ ପ୍ରଶାସନିକ ଭାବେ ଛତିଶଗଡିଆ ହେବାରୁ ଗାଁର ଲୋକମାନେ ଏକ ପରିଚୟ ସଂକଟର ସମ୍ମୁଖୀନ ହେଉଛନ୍ତି।ଯୁବପିଢ଼ୀ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ରକ୍ଷା କରିବା ପ୍ରତି ଆଗ୍ରହ ଥିଲେ ମଧ୍ୟ ଶିକ୍ଷା ଓ ଚାକିରିରେ ହିନ୍ଦୀର ପ୍ରଭାବ ବଢ଼ିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, “ଭାଷା ଓ ସଂସ୍କୃତି ଆମର ପରିଚୟ, ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ।”ଓଡ଼ିଶା ଗଠନର ୯୦ ବର୍ଷ ପରେ ମଧ୍ୟ ଏଭଳି ଗୋଟିଏ ଓଡ଼ିଆ ସଂସ୍କୃତିର ଗାଁ ପଡ଼ୋଶୀ ରାଜ୍ୟରେ ରହିଯାଇଥିବା ଘଟଣା ଅନେକ ପ୍ରଶ୍ନ ଉଠାଇଛି।ସ୍ଥାନୀୟ ବୁଦ୍ଧିଜୀବୀ ଓଗ୍ରାମବାସୀମାନେ ରାଜ୍ୟ ସରକାର ଓ ପ୍ରଶାସନଙ୍କୁ ଏହି ଦିଗରେ ଦୃଷ୍ଟି ଦେବାକୁ ଦାବି କରୁଛନ୍ତି।ସେମାନଙ୍କ ମତ ଅନୁସାରେ, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଏମିତି ସୀମାନ୍ତ ଅଞ୍ଚଳରେ ବିଶେଷ ନୀତି ଗଠନ ଆବଶ୍ୟକ।ଶଙ୍କରା ଗାଁ ଏକ ଏମିତି ଦୃଷ୍ଟାନ୍ତ, ଯେଉଁଠାରେ ସୀମା ରେଖା ଲୋକଙ୍କର ପରିଚୟକୁ ବଦଳାଇପାରିନାହିଁ। ପ୍ରଶାସନିକ ଭାବେ ଛତିଶଗଡ଼ରେ ଥିଲେ ମଧ୍ୟ ଏଠାର ଲୋକମାନଙ୍କ ହୃଦୟରେ ଓଡ଼ିଆ ସଂସ୍କୃତି ଆଜିବି ଜୀବନ୍ତ।ଏହି ଗାଁ ଆମକୁ ଏକ ସନ୍ଦେଶ ଦେଉଛି ଭାଷା ଓ ସଂସ୍କୃତି କେବଳ ପ୍ରଶାସନିକ ସୀମାରେ ବନ୍ଧି ରହେନି, ଏହା ଲୋକଙ୍କ ମନ ଓ ଜୀବନରେ ବଞ୍ଚିଥାଏ।

0
0
0
s2sdefault