ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାଛକୁଣ୍ଡ ନଦୀ ଉପରେ ନିର୍ମାଣାଧୀନ ବିଶୋଇଗୁଡ଼ାରୁ ଜନ୍ତ୍ରୀ ଏବଂ ଜନ୍ତ୍ରୀରୁ ଦିଶାରୀଗୁଡ଼ା ମଧ୍ୟରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବ ପ୍ରଥମେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ବିଶୋଇଗୁଡ଼ା-ଜନ୍ତ୍ରୀ ସେତୁ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ । ବର୍ଷା ଦିନେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ମୌସୁମୀ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥାକୁ ତାଗିଦ୍ କରିଛନ୍ତି । କଞ୍ଚାମାଲ ସମସ୍ୟାର ସମାଧାନ ପାଇଁ ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ହେଉଥିବା ବାଲି ଓ ମାଟିର ଅଭାବ ସମ୍ପର୍କରେ ସେ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ । ଠିକାସଂସ୍ଥା ଯେପରି ସହଜରେ ନିକଟସ୍ଥ କ୍ୱାରିରୁ ସାମଗ୍ରୀ ଉଠାଇ ପାରିବେ, ସେଥିପାଇଁ ତୁରନ୍ତ ସ୍ଥାନ ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଜନ୍ତ୍ରୀ-ଦିଶାରୀଗୁଡ଼ା ସେତୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେ ସମ୍ପୃକ୍ତ ଏଜେନ୍ସିକୁ ତୁରନ୍ତ ଏକ ସଂଶୋଧିତ କାର୍ଯ୍ୟ ଯୋଜନା ଦାଖଲ କରି କାର୍ଯ୍ୟ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ ସମୟରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ସିଡିଓ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ନିର୍ବାହୀ ଯନ୍ତ୍ରୀ ସୁଜାତା ଦିଶାରି, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ଏବଂ ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷା ଦିନେ ସ୍ଵାଭିମାନ ଅଞ୍ଚଳବାସୀଙ୍କ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଏହି ସେତୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।








