କେନ୍ଦୁଝର,ତା୨୩/୦୩-ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି "ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬"। ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ପାଞ୍ଚଟି ପ୍ରମୁଖ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ ‘ଖୋ-ଖୋ’ କ୍ରୀଡ଼ା ଚୟନ ପ୍ରକ୍ରିୟା ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୬ ରୁ ୧୪ ବର୍ଷ ବୟସ୍କ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କ ମଧ୍ୟରେ ଖୋ-ଖୋ ଖେଳ ପ୍ରତି ଥିବା ଆଗ୍ରହ ଦେଖିବାକୁ ମିଳିଥିଲା। ଅଭିଭାବକମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ କ୍ରୀଡ଼ା ପ୍ରଶିକ୍ଷକ ଓ ଅଧିକାରୀମାନେ ପିଲାମାନଙ୍କର ଶାରୀରିକ ସାମର୍ଥ୍ୟ ଏବଂ ଖେଳ କୌଶଳର ପରୀକ୍ଷା କରିଥିଲେ।
ଡି.ଡି. ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଶଙ୍କରପୁର, ନେହେରୁ ଷ୍ଟାଡିୟମ ଚମ୍ପୁଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି ।ଏହି ଚୟନ ପ୍ରକ୍ରିୟା ମାଧ୍ୟମରେ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ପାଇଁ ଦକ୍ଷ ଖୋ-ଖୋ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି କ୍ରୀଡ଼ା ବିଭାଗ ଆଶା ପ୍ରକାଶ କରିଛି।








