କେନ୍ଦୁଝର,ତା୧୯/୩- ଆଗାମୀ ଏପ୍ରିଲ ଓ ମେ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ଶ୍ରୀ ଵିଶାଲ ସିଂହ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ମୁଖ୍ୟ ନିଷ୍ପତ୍ତି ମୁତାବକ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ଚଳପ୍ରଚଳ ଓ ଶ୍ରମିକ କାର୍ଯ୍ୟ ବନ୍ଦ। ମଧ୍ୟାହ୍ନ ସମୟରେ ବିଦ୍ୟୁତ କାଟ୍ ନିଷେଧ। ଜିଲ୍ଲାରେ ୨୪/୭ ନିୟନ୍ତ୍ରଣ କକ୍ଷଖୋଲା ଯିବାକୁ ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ ରଖିବା ପ୍ରଶାସନର ପ୍ରଥମ ଦାୟିତ୍ୱ । ଏଥିପାଇଁ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୌଣସି ପରିବହନ ସେବା, କିମ୍ବା ଖଣି ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ ଜାରି ରହିବ ନାହିଁ। ଯାତ୍ରୀବାହୀ ବସଗୁଡ଼ିକରେ ଡ୍ରାଇଭର ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ କୁଲିଂ ବ୍ୟବସ୍ଥା ଓ ଜଳ ସଂରକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ସକାଳୁଆ ସ୍କୁଲ ନିୟମ ପାଳନ କରିବାକୁ କୁହାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ମୁନିସିପାଲିଟି ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳଛତ୍ର ଓ ବନ୍ଦ ରହିଥିବା ବିଶ୍ରାମାଗାର ଖୋଲିବାକୁ କୁହାଯାଇଛି। ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଅଚଳ ନଳକୂପ ଗୁଡ଼ିକର ତୁରନ୍ତ ମରାମତି ଏବଂ ପାଇପ୍ ଲାଇନ ଲିକ୍କୁ ୨୪ ଘଣ୍ଟା ମଧ୍ୟରେ ଠିକ୍ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ମଧ୍ୟରେ ପାଣିର ବ୍ୟବସ୍ଥା କରିବାକୁ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଅଂଶୁଘାତ ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍, ଏସି ଓ କୁଲର ସୁବିଧା ସହ ଜୀବନ ରକ୍ଷାକାରୀ ଔଷଧ ଓ ଓଆରଏସ ପ୍ୟାକେଟ୍ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରକୁମାର ପ୍ରଧାନ, ଡିଏଫଓ ଏଚ. ଡି. ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଜିଲ୍ଲାପାଳଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ କେନ୍ଦୁଝର ଉମାକାନ୍ତ ଦଳାଇ, ଉପଜିଲ୍ଲାପାଳ ଚମ୍ପୁଆ ଉମାକାନ୍ତ ପରିଡା, ଉପଜିଲ୍ଲାପାଳ ଆନନ୍ଦପୁର ନୀଳମାଧଵ ସୁନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟ
କେନ୍ଦୁଝର : ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି
- Hits: 5








