ତୁରନ୍ତ ହସ୍ତକ୍ଷେପ ପାଇଁ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବିଜେଡି
ଭୁବନେଶ୍ୱର, ୧୯/୦୩/୨୦୨୬: ଗୁରୁବାର ଦିନ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ମହିଳା ଓ ନାବାଳିକାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ଘଟଣାକୁ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ଏଭଳି ଘଟଣାରେ ପୋଲିସ୍ର ନିଷ୍କି୍ରୟତା ଓ ପ୍ରଶାସନିକ ଅବହେଳାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୨ ମାର୍ଚ୍ଚ ୨୦୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଭିଞ୍ଜୁଆ ଗ୍ରାମ, ବହଳଦା ଛକ ନିକଟରେ ଥିବା ତିରିଂ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୋଲିସ୍ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିଥିଲା । ଘଟଣା ଅନୁଯାୟୀ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଆଦିବାସୀ ସମୁଦାୟ ପ୍ରତିବାଦ କରି ଥାନାକୁ ଘେରାଉ କରିଥିଲେ । ଆଦିବାସୀମାନଙ୍କ ଦାବିକୁ ସମାଧାନ କରିବା ପରିବର୍ତ୍ତେ, ତାଙ୍କ ଉପରେ ବର୍ବରୋଚିତ ଭାବେ ପୋଲିସ୍ ଲାଠିମାଡ଼ କରିଥିଲା । ପୋଲିସର ଏହି ନିଷ୍କି୍ରୟତାକୁ ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।
ବିଜୁ ଜନତା ଦଳ କହିଛି ଯେ, ଖାଲି ଏହି ଘଟଣା ନୁହେଁ, ରାୟଗଡା, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ (ବୋରିଗୁମ୍ମା), ଲମତାପୁଟ ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଏହିପରି ଅନେକ ଘଟଣା ଲୋକଲୋଚନକୁ ଆସିଛି । ଆଦିବାସୀ ସମୁଦାୟଙ୍କୁ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେପି ସରକାର । ବହଳଦା ଘଟଣାରେ ପୋଲିସ୍ ଏଫଆଇଆର୍ ରୁଜୁ କରିବାରେ ବିଳମ୍ବ କରିବା, ଅଭିଯୁକ୍ତକୁ ତୁରନ୍ତ ଗିରଫ ନ କରିବା, ପୀଡିତାଙ୍କ ସହ ଅସମ୍ୱେଦନଶୀଳତା ବ୍ୟବହାର କରିବା ଓ ଲୋକମାନଙ୍କ ପ୍ରତିବାଦକୁ ଦମନ କରିବାକୁ ନେଇ ବିଜୁ ଜନତା ଦଳ ସ୍ମାରକପତ୍ରରେ ଉଲ୍ଲେଖ କରିଛି । ବହଳଦା ଅସଦାଚରଣ ଘଟଣା ଭାରତୀୟ ସମ୍ବିଧାନର ଧାରା ୧୪, ୧୫ ଓ ୨୧ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନ, ୧୯୮୯ର ବିଧାନକୁ ଉଲ୍ଲଂଘନ କରୁଛି ।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛି ଯେ, ବହଳଦା ଘଟଣାରେ ପୁଲିସର ନିଷ୍କି୍ରୟତା ପାଇଁ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି । ଏହି ଘଟଣାରେ ଜଡ଼ିତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିଶ ସରିବା ସହିତ ପୀଡ଼ିତାକୁ ଉଚିତ୍ ନ୍ୟାୟ ଦେବା ପାଇଁ ଏକ ଦୃଢ଼ ନିରୀକ୍ଷଣ ବ୍ୟବସ୍ଥା କରନ୍ତୁ । ଦଳ ଉଲ୍ଲେଖ କରିଛି ଯେ, ବର୍ତ୍ତମାନ ଓଡ଼ିଶାରେ ଯେପରି ଆଇନଶୃଙ୍ଖଳା ସ୍ଥିତି ରହିଛି, ସେଥିରେ ଆଦିବାସୀ ସମୁଦାୟ ଭୟରେ ରହିବା ସହ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ମୟୂରଭଞ୍ଜ-୨ର ଜିଲ୍ଲା ସଭାପତି ଡ଼ ଦେବାଶିଷ ମାରାଣ୍ଡି, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ପ୍ରିୟବ୍ରତ ମାଝୀ ଓ ଲେନିନ ମହାନ୍ତି, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ମୟୂରଭଞ୍ଜ ଜିଲ୍ଲା ବିଜେଡି ସମ୍ପାଦକ ଗଙ୍ଗାଧର ହେମ୍ୱ୍ରମ ଓ ନୀଳମାଧବ ସାବର ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏସ୍ଟି କମିଶନଙ୍କ ଆଞ୍ଚଳିକ କାର୍ଯ୍ୟାଳୟରେ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଦିବାସୀ ସମୁଦାୟଙ୍କ ଅଧିକାର, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା କାର୍ଯ୍ୟ କରିଆସୁଛି । ନାରୀ ନିର୍ଯାତନାର ଶିକାର ହେଉଥିବା ପୀଡିତାମାନଙ୍କ ସହ ଓ ତାଙ୍କ ପରିବାରବର୍ଗଙ୍କ ସହ ବିଜୁ ଜନତା ଦଳ ସର୍ବଦା ରହିଆସିଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ସର୍ବଦା ଲଢ଼େଇ ଜାରି ରଖିବ ।








