ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୬/୦୨):- ପଦ୍ମପୁର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ଗୌରବମୟ ଓ ଐତିହାସିକ ସଫଳତା ହାସଲ ହୋଇଛି। ପଦ୍ମପୁର ସହରର ପ୍ରସିଦ୍ଧ ଶିକ୍ଷା ପ୍ରତିଷ୍ଠାନ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍ ବର୍ତ୍ତମାନ ଆଧିକାରିକ ଭାବରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ସହ ଅନୁସଂଲଗ୍ନତା ଲାଭ କରିଛି। ସ୍କୁଲ୍ଟିକୁ Affiliation No – 1530502 ଓ School Code – 16470 ଦିଆଯାଇଥିବା ଜଣାପଡ଼ିଛି। ଏହି ଅନୁମୋଦନ ମିଳିବା ପରେ ସ୍କୁଲ୍ଟି ଏବେ ନର୍ସରୀ ଠାରୁ ଦ୍ୱାଦଶ (ଯୁକ୍ତଦୁଇ) ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷାଦାନ କରିପାରିବ। ଏହା ଫଳରେ ପଦ୍ମପୁର ସହ ପାଖପାଖି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚ ମାନର ଶିକ୍ଷା ଲାଭ କରିବାର ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଏହି ସଫଳତା ପଛରେ ସ୍କୁଲ୍ର ପରିଚାଳନା ସମିତି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ଅବିରତ ପ୍ରୟାସ ଓ ସହଯୋଗ ଥିବା କଥା ସ୍କୁଲ୍ ପକ୍ଷରୁ କୁହାଯାଇଛି। ସ୍କୁଲ୍ର ସଭାପତି ଶ୍ରୀ ଶ୍ରୀକାନ୍ତ ମିଶ୍ର ଏହି ଅବସରରେ କହିଛନ୍ତି ଯେ, ପଦ୍ମପୁର ଅଞ୍ଚଳରେ ଗୁଣାତ୍ତ୍ୱମୂଳକ ଶିକ୍ଷା ପ୍ରସାର କରିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ମାନଙ୍କ ସହ ମେଳ ରଖି ଶିକ୍ଷା ଦେବା ହିଁ ସ୍କୁଲ୍ର ମୁଖ୍ୟ ଲକ୍ଷ୍ୟ। ସିବିଏସଇ ଅନୁସଂଲଗ୍ନତା ମିଳିବା ଏହି ଲକ୍ଷ୍ୟ ପୂରଣ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ସ୍କୁଲ୍ରେ ଉନ୍ନତ ଶିକ୍ଷା ପରିବେଶ, ଆଧୁନିକ ଶିକ୍ଷା ପ୍ରଣାଳୀ, ଡିଜିଟାଲ ଲର୍ଣ୍ଣିଂ ସହିତ ବିଭିନ୍ନ ସହପାଠ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ। ସ୍କୁଲ୍ର ପ୍ରିନ୍ସିପାଲ ଶ୍ରୀମତୀ ଆପାଲି ଅପରାଜିତା ଦାସ ମଧ୍ୟ ଏହି ଅବସରରେ ତାଙ୍କର ଖୁସି ପ୍ରକାଶ କରି କହିଛନ୍ତି ଯେ, ସିବିଏସଇ ଅନୁସଂଲଗ୍ନତା ମିଳିବା ସ୍କୁଲ୍ ପାଇଁ ଏକ ବଡ଼ ସଫଳତା ଓ ଦାୟିତ୍ୱ। ଏହା ଫଳରେ ସ୍କୁଲ୍ରେ ଶିକ୍ଷାର ମାନକୁ ଆହୁରି ଉନ୍ନତ କରିବା ପାଇଁ ନୂତନ ଶିକ୍ଷା ପଦ୍ଧତି, ଆଧୁନିକ ଶିକ୍ଷା ସୁବିଧା ଓ ଅଧୁନିକ ଶିକ୍ଷା ସାଧନ ସମ୍ମିଳିତ କରାଯିବ। ଛାତ୍ରଛାତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ, ନୈତିକ ଓ ସାମାଜିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଏକ ସମଗ୍ର ଶିକ୍ଷା ପରିବେଶ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ଏହି ଖବର ପାଇବା ପରେ ପଦ୍ମପୁର ଓ ପାଶ୍ୱର୍ବତୀ ଅଞ୍ଚଳରେ ଖୁସିର ମହଲ ଦେଖାଯାଇଛି। ସ୍ଥାନୀୟ ଅଭିଭାବକ, ଶିକ୍ଷାପ୍ରେମୀ ଓ ସମାଜସେବୀ ମାନେ ଏହି ସଫଳତାକୁ ସ୍ବାଗତ କରିଛନ୍ତି। ସେମାନଙ୍କ ମତାନୁସାରେ, ପଦ୍ମପୁରରେ ଏପରି ଏକ ସିବିଏସଇ ଅନୁସଂଲଗ୍ନ ସ୍କୁଲ୍ ରହିବା ଅଞ୍ଚଳର ଶିକ୍ଷା ବିକାଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହା ଫଳରେ ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଭଲ ଭିତ୍ତି ତିଆରି କରିପାରିବେ ଓ ଆଗାମୀ ଦିନରେ ଦେଶର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ।ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍କୁ ସିବିଏସଇ ଅନୁସଂଲଗ୍ନତା ମିଳିବା ପଦ୍ମପୁର ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲସ୍ଟୋନ୍ ସାବ୍ୟସ୍ତ ହୋଇଛି ଏବଂ ଏହା ଆଗାମୀ ଦିନରେ ଅଞ୍ଚଳର ଶିକ୍ଷା ଉନ୍ନତିକୁ ନୂଆ ଦିଗ ଦେବ ବୋଲି ବୁଦ୍ଧିଜୀବୀ ମାନେ ମନ୍ତବ୍ୟ ଦେଇଛନ୍ତି।
ରାଜ୍ୟ
ପଦ୍ମପୁରର ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍କୁ ସିବିଏସଇ ଅନୁସଂଲଗ୍ନତା : ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ।
- Hits: 205








