ବାଲେଶ୍ୱର, ୧୬/୦୩/୨୦୨୬: ଆଜି ସନ୍ଧ୍ୟା ୫.୦୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲରେ ବାଲେଶ୍ୱର ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଇଦ୍ - ଉଲ୍ - ଫିତର ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ବାଲେଶ୍ୱର ସହରରରେ ଆସନ୍ତା ୨୦ ଓ ୨୧ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁଥିବା ମୁସଲିମ ସମ୍ପ୍ରଦାୟର ଇଦ୍ - ଉଲ୍ - ଫିତର ପର୍ବ କିପରି ସୁଚାରୁ ରୂପେ ପାଳନ କରାଯିବ, ସେନେଇ ଆଲୋଚନା ହୋଇଥିଲା ।
ଏହି ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ । ତାଙ୍କ ସହିତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବଜ୍ଯୋତି ଦାଶ ଓ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ନିର୍ଲିପ୍ତା ମହାନ୍ତି, ଆଇପିଏସ୍ ଅଧିକାରିଣୀ ଶ୍ରୀମତୀ ମନିଶା ସାଉଗୁନ ଓ ମଞ୍ଜୁସା ବି ଜେଓର୍ଗେ ମଞ୍ଚାସିନ ଥିଲେ। ଏଠାରେ ଅନେକ ମୁସଲମାନ ସମ୍ପ୍ରଦାୟର ଭାଇମାନେ ଯୋଗ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବଜ୍ଯୋତି ଦାଶ ମଞ୍ଚ ପରିଚାଳନା କରିଥିଲେ।
ଇଦ୍ - ଉଲ୍ - ଫିତର ପର୍ବ ଏକ ଖୁସିର ପର୍ବ । ଏହା ରମଜାନ ମାସର ଶେଷରେ କରାଯାଏ । ଏହି ଦିନରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଖୁବ୍ ଧୁମ୍ ଧାମରେ ଏହି ପର୍ବ ପାଳନ କରିବେ ବୋଲି ମନସ୍ଥ କରିଛନ୍ତି। ସକାଳ ୭.୦୦ ଘଟିକାରୁ ଅପରାହ୍ନ ୧୧.୦୦ ଘଟିକା ପର୍ଯ୍ୟନ୍ତ ବାଲେଶ୍ୱର ସହରର ବିଭିନ୍ନ ମସଜିଦ ରେ ପ୍ରାର୍ଥନା କରିବେ । ସନ୍ଧ୍ୟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଏଥିନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପର୍ଶସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ମସଜିଦ ସଫାସୁତୁରା, ପାଣି ବ୍ୟବସ୍ଥା ସହିତ ବିଦ୍ୟୁତ୍ ସେବାରେ ଯେପରି ବାଧା ସୃଷ୍ଟି ନୋ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆ ଯିବ ବୋଲି ଏଠାରେ ଆଲୋଚନା ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡାକଡି କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଥିଲେ ।








